ଧର୍ମଶାଳା- ଯାଜପୁର ଜିଲା ଧର୍ମଶାଳା ଥାନା ଅଂଚଳର ବହୁ ଚର୍ଚ୍ଚିତ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଆଜି ଧର୍ମଶାଳା ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନଙ୍କ ମଧ୍ୟରୁ ଧର୍ମଶାଳା ଥାନାର କନେଷ୍ଟବଳ ସନ୍ତୋଷ ବାରିକ (୪୦)ର ସମ୍ପୃକ୍ତି ଥିବା ଜଣାପଡିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି । ସନ୍ତୋଷ ହେଉଛି ମୁଖ୍ୟ ଅଭିଯୁକ୍ତ ସତ୍ୟ ନାରାୟଣ ସାମଲ ଓରଫ ପିଂଟୁର ଭିଣୋଇ । ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ଅଭିଯୁକ୍ତର ମାଉସୀ ସୁକିନ୍ଦା ଅଂଚଳର ପୁଷ୍ପାଞ୍ଜଳୀ ବେହୁରା(୫୦), ମାମୁଁ ପୁଅ ନେଉଳପୁର ଅଂଚଳର ମୋହନ ମହାନ୍ତି (୩୦) ଓ ମୋହନର ସହଯୋଗୀ ନେଉଳପୁର ଗ୍ରାମର ଅବଦୁଲ ରେହେମାନ(୩୨) ବୋଲି ଜଣାପଡିଛି । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସତ୍ୟ ନାରାୟଣ ସାମଲ ଓରଫ ପିଂଟୁ ସହ ତାର ସାନ ଭାଇ ନିଟୁ, ଦୁଇ ଭଉଣୀ କବିତା ଓ ବନିତାଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ଏବଂ ମଝିଆ ଉଭଣୀ ରଂଜିତା ଗତକାଲି ରାତିରେ ହୃଦଘାତର ଶୀକାର ହୋଇ କଟକ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାପଡିଛି । ରଂଜିତା ମଧ୍ୟ ଧର୍ମଶାଳା ଥାନାରେ ମହିଳା କନେଷ୍ଟବଳଭାବେ କାର୍ଯ୍ୟରତ ଥିଲେ ।
ସୂଚନା ଥାଉ କି, ଧର୍ମଶାଳା ଥାନା କଂଟିଗଡିଆ ପଂଚାୟତ ପିପଳିଢ଼ିହ ଗ୍ରାମର ଜନୈକା ନାବାଳିକାକୁ ଅପହରଣ କରିବାର ୪ ଦିନ ପରେ ତାଙ୍କୁ ମୁମୂର୍ଷ ଅବସ୍ଥାରେ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ଚିକିତ୍ସା ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଏହାର ୨ ଦିନ ପରେ ଚେତା ଫେରିବା ପରେ ତାଙ୍କୁ ଅଭିଯୁକ୍ତମାନେ ମିଠାରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ପୀଡିତାଙ୍କ ୧୬୧ ବୟାନରୁ ପୁଲିସ ଜାଣିବାକୁ ପାଇଥିଲା । ଫଳରେ ପୁଲିସ ଅଭିଯୋଗକୁ ଭିତି କରି ପୂର୍ବରୁ ୪ ଜଣଙ୍କୁ ଗିରଫ କରିବା ସହିତ ଆଜି ଆଉ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଗିରଫଦାରୀ ପରେ ମାମଲାରେ ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।
ଅପରପକ୍ଷେ ଏହି ଘଟଣାକୁ ନେଇ କଂଗ୍ରେସର ରାଜ୍ୟ ସ୍ତରୀୟ ନେତା ଓ ବିଜେପିର ରାଜ୍ୟସ୍ତରୀୟ ନେତା ଓ ନେତ୍ରୀ ପୀଡିତାଙ୍କ ଘରେ ପଂହଚି ତାଙ୍କ ବୟାନ ନେଇଥିଲେ । ଏବଂ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା ।