ଭୁବନେଶ୍ୱର– ବିଷମ ପରିସ୍ଥିତିର ସାମ୍ନା କରି ସବୁବେଳେ ଅଟଳ ରହୁଥିଲେ ବାଜପେୟୀ । ତାଙ୍କ ନୀତି ଆଦର୍ଶକୁ ଆଧାର କରି ଆଜି ବିଜେପି ବିଶ୍ଵର ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ଛିଡ଼ା ହୋଇଛି । ଆଜି ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତାବ୍ଦୀ ସମାରୋହରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ଏହା କହିଛନ୍ତି । ଓଡ଼ିଶା ସମେତ 13ଟି ରାଜ୍ୟରେ ବିଜେପିର ଶାସନ । 7ଟି ରାଜ୍ୟରେ ଏନଡିଏ ମେଣ୍ଟ ସରକାର କରିଛି । ଏମିତି 20ଟି ରାଜ୍ୟରେ ଏବେ ବିଜେପି ନେତୃତ୍ଵାଧୀନ ସରକାର ଅଛି । ପ୍ରଥମେ ଦୁଇଟି ସିଟରେ ଜିତିଥିଲା ବିଜେପି । ନିଜେ ଅଟଳ ବିହାରୀ ବାଜପେୟୀ ହରିଯାଇଥିଲେ । ହେଲେ କେବେ ନିଜ ମନୋବଳକୁ କ୍ଷୀଣ କରିନଥିଲେ ଅଟଳ । ସେହିଦିନ ଠାରୁ ଅକ୍ଲାନ୍ତ ପରିଶ୍ରମ କରି 15 ବର୍ଷ ପରେ ପୁଣି ବିଜେପିକୁ କ୍ଷମତାକୁ ଆଣି ଦେଖାଇଥିଲେ । ଦିନେ ବିଜେପିକୁ ଓଡ଼ିଶାରେ ସାଇନ୍ ବୋର୍ଡ ପାର୍ଟି କୁହାଯାଉଥିଲା । କିନ୍ତୁ ଆଜି ରାଜ୍ୟରେ ବିଜେପି ଡବଲ ଇଞ୍ଜିନ ସରକାର ତିଆରି କରିପାରିଛି । ନିଜର ବ୍ୟକ୍ତିତ୍ଵ ବଳରେ ବିରୋଧୀଙ୍କୁ ଆକର୍ଷିତ କରିପାରିଥିଲେ ବାଜପେୟୀ । ଏନଡିଏ ଗଠନ କରି ସୁଶାସନ ଦେଇ ଉଦାହରଣ ସୃଷ୍ଟି କରିଥିଲେ । ଅଟଳଙ୍କୁ ସେଥିପାଇଁ ଅଜାତ ଶତ୍ରୁ ବୋଲି କୁହାଯାଉଥିଲା । ପୋଖରାନ ପରମାଣୁ ପରୀକ୍ଷା ବେଳେ କାହାର ଚାପର ଶିକାର ହୋଇନଥିଲେ ।
ନିର୍ବାଚନୀ ସଂକଳ୍ପ ପତ୍ରରେ କହିଥିଲୁ ସବୁ ଘୋଷଣାକୁ ପୂରଣ କରିବୁ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଧାନ ଏମଏସପି 3100 ଟଙ୍କା ଠାରୁ ଆରମ୍ଭ କରି ଅନେକ ପ୍ରତିଶ୍ରୁତି ପୂରଣ କରୁଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା 80 ଲକ୍ଷରୁ ଉର୍ଦ୍ଧ୍ଵ ମହିଳା ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପାଇଲେଣି । ଜାନୁଆରୀ ଶେଷ ସୁଦ୍ଧା 1 କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ମାର୍ଚ୍ଚ ମାସରେ ଦ୍ଵିତୀୟ କିସ୍ତି ମିଳିବ । ମନ୍ତ୍ରୀ ମାନଙ୍କୁ ସର୍ଭେ କରିବା ପାଇଁ ପ୍ରତି ଜିଲ୍ଲାକୁ ପଠାଯାଉଛି । ଲକ୍ଷପତି ଦିଦି ହେବାର ଲକ୍ଷ୍ୟ ରଖିଛନ୍ତି ବୋଲି ମହିଳା ମାନେ କହୁଛନ୍ତି । 193 ଦିନ ଭିତରେ 101 ଦିନ ପ୍ରତି ଜିଲ୍ଲାକୁ ଗସ୍ତ କରିବା ଓ 42 ଦିନ ସେହି ଜିଲ୍ଲାରେ ରାତିରେ ରହିବା କାମ ନିରନ୍ତର ଭାବେ ଚାଲିଛି । 2036 ସୁଦ୍ଧା ବିକଶିତ ଓଡ଼ିଶା କରିବା ପାଇଁ ଭିଜନ 2036 ଲୋକଙ୍କ ପାଖରେ ରଖିଛନ୍ତି ସରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।