ରାଉରକେଲା- ଦୁର୍ଘଟଣାକୁ ୩ ଦିନ ବିତିଲା, ଜିଲ୍ଲା ପ୍ରଶାସନ କିମ୍ବା ଠିକା ସଂସ୍ଥାର କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସିଲେନି । ଫଳରେ ମୃତକଙ୍କ ପରିବାରର ଲୋକେ ୫ଟି ମୃତଦେହକୁ ନେଇନଥିଲେ । ରାସ୍ତାକୁ ଆସି ଦାବି କରିଥିଲେ ସେମାନଙ୍କ କଥା ବୁଝା ଯାଉ । ହେଲେ ୨ଦିନ କାଳ ଏହି ମୃତକଙ୍କ ପରିବାର କଥା କେହି ବୁଝିଲେ ନାହିଁ । ଯାହାର ପ୍ରତିବାଦରେ ଆଜି ଉତ୍ୟକ୍ତ ଗ୍ରାମବାସୀ ରାସ୍ତାରେ ଧାରଣା ଦେବା ସହ ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରିବା ପରେ ଏମାନଙ୍କ ସମସ୍ୟାର ସମାଧାନ ଲାଗି ପ୍ରଶାସନର ନିଦ ଭାଙ୍ଗିଲା ଓ ଏନେଇ ଆଲୋଚନା ଆରମ୍ଭ ହୋଇ ସମାଧାନର ରାସ୍ତା ବାହାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି ।
ବିବରଣୀରୁ ପ୍ରକାଶ ଯେ, ୨୨ ତାରିଖ ଦିନ ପ୍ରାୟ ୧୦.୪୫ ମିନିଟ ବେଳେ ରାଜଗାଙ୍ଗପୁର ନିକଟ ରମାବାହାଲ ନିକଟରେ ରାସ୍ତାର ଡିଭାଇଡର ଉପରକୁ ଗାଡି ଚଢିଯାଇ ଦୁଇଟି ଗାଡି ଦୁର୍ଘଟଣା ଘଟାଇବାରୁ ସେହି ରାସ୍ତାରେ କାମ କରୁଥିବା ଏଲ.ଆଣ୍ଡ.ଟି. କମ୍ପାନୀର ୬ ଜଣ ମହିଳା ଠିକା କର୍ମଚାରୀଙ୍କ ମଧ୍ୟରୁ ୨ ଜଣ ସେହିଠାରେ ପ୍ରାଣ ହରାଇଥିଲେ । ଗୁରୁତର ଅବସ୍ଥାରେ ରାଉରକେଲା ଆସିଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଫଳରେ ମୃତକ ମାନଙ୍କ ଗ୍ରାମ ରଜାବସାରେ ଶୋକର ଛାୟା ଖେଳିଯାଇଥିଲା । ପରଦିନ ଶତାଧିକ ଗ୍ରାମବାସୀ ରାଜଗାଙ୍ଗପୁର ଥାନା ନିକଟରେ ନୀରବ ଧାରଣା ଦେବା ସହ ତାଙ୍କ କଥା ବୁଝିବାକୁ ଗୁହାରୀ କରିଥିଲେ । ହେଲେ ଏମାନଙ୍କ ପାଖକୁ କେହି ଆସିନଥିଲେ । ଆଜି ଦିନ ୧୨ଟା ସୁଦ୍ଧା ସେମାନଙ୍କ ସମସ୍ୟା ସମାଧାନ ନହେବାରୁ ଗଡପୋଷ ନିକଟରେ ଏମାନେ ବିଜୁଏକ୍ସପ୍ରେସକୁ ଜାମ୍ କରିଦେଇଥିଲେ ।ଫଳରେ ସୁନ୍ଦରଗଡ ଓ ରାଉରକେଲା ପଟୁ ଯାଉଥିବା ଗାଡି ଗୁଡିକ ଦୀର୍ଘ ସମୟ ଧରି ଅଟକି ରହିଥିଲା ।
ଜିଲ୍ଲା ଶ୍ରମ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଏଲ ଆଣ୍ଡ ଟି କମ୍ପାନୀ ଏହି ରାସ୍ତା କଡ କାମ ଗୁଡିକ କରାଇବା ଲାଗି ନାଗପୁରର ଆଇଡିପିଏଲ ନାମକ ଠିକା ସଂସ୍ଥାକୁ ଠିକା ଦେଇଥିଲା । ଏହି ଠିକା ସଂସ୍ଥାକୁ ରାଜଗାଙ୍ଗପୁରର ଫକୀର ଦେଓ ନାମକ ବ୍ୟକ୍ତି ଶ୍ରମିକ ଯୋଗାଉଥିଲେ । ମୃତ୍ୟୁ ବରଣ କରିଥିବା ଶ୍ରମିକ ମାନେ ଫକୀରଙ୍କ ଦ୍ୱାରା କାମ କରିବାକୁ ଯାଇଥିଲେ । ଏମାନଙ୍କର ଭବିଷ୍ୟନିଧି, ଇଏସଆଇ ହୋଇନଥିବା କୁହାଯାଉଥିବା ବେଳେ ଏହି ମାମଲାକୁ ଆଲୋଚନା ଭିତରକୁ ନଆଣି ସରକାରୀ ବାବୁ ମାନଙ୍କ ଭୁଲ୍ ଭଟକାକୁ ଲୁଚାଇବା ଲାଗି ଉଦ୍ୟମ ହୋଇଥିବା ଖବର ମିଳିଛି ।
ତେବେ ଆଜି ଆନ୍ଦୋଳନ କରୁଥିବା ଗ୍ରାମବାସୀ ମାନଙ୍କ କହିବା କଥା, ମୃତକ ମାନଙ୍କ ପରିବାରକୁ ନଗଦ ୧୫ ଲକ୍ଷ ଟଙ୍କା ଓ ଜଣକୁ ଚାକିରୀ ଦେବା ଲାଗି ସେମାନେ ଦାବୀ କରିଛନ୍ତି । ଏହାରି ଉପରେ ଆଲୋଚନା ଲାଗି ସୁନ୍ଦରଗଡ ଏଡିଏମ, ଉପଜିଲ୍ଲାପାଳ, ସୁନ୍ଦରଗଡ ଥାନା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମେତ ଠିକା ସଂସ୍ଥାକୁ ଶ୍ରମିକ ଯୋଗାଉଥିବା ଫକୀର ଦେଓ ଉପସ୍ଥିତ ରହି ଆଲୋଚନା କରିଛନ୍ତି । ତେବେ ଠିକାଦାର ଜୟ ଦତା ନଆସି ତା’ର କୌଣସି ପ୍ରତିନିଧିଙ୍କୁ ପଠାଇଥିବା ଜଣା ପଡିଛି । ସେପଟେ ଆଲୋଚନା ଶେଷ ହେବା ଯାଏ ରାସ୍ତାରୋକ ଜାରୀ ରହିଥିବା ସୂଚନା ମିଳିଛି ।