ଭୁବନେଶ୍ୱର, ଚଳିତ ବର୍ଷ ୧୮ତମ ପ୍ରବାସୀ ଭାରତୀୟ ଦିବସ ଜାନୁୟାରୀ ମାସ ୮ ରୁ ୧୦ତାରିଖ ଯାଏଁ ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶନ ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ସମ୍ମାନଜନକ କାର୍ଯ୍ୟକ୍ରମର ସଫଳତାକୁ ନିଶ୍ଚିତ କରିବା ନିମନ୍ତେ ସମସ୍ତ ବିଭାଗଗୁଡିକର ସମନ୍ଵିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି ।
ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର, ଚିଲିକା ହ୍ରଦ ଏବଂ ରଘୁରାଜପୁର ଐତିହ୍ୟ ଗ୍ରାମ ସହିତ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପକୁ ପ୍ରଦର୍ଶନ ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଛି । ପ୍ରମୁଖ ଗନ୍ତବ୍ୟସ୍ଥଳର ସୌନ୍ଦର୍ଯ୍ୟକରଣ ଏବଂ ପ୍ରବାସୀ ପର୍ଯ୍ୟଟକମାନଙ୍କ ପାଇଁ ବିଶ୍ଵସ୍ତରୀୟ ସୁବିଧା ଯୋଗାଇଦେବା ଦିଗକୁ ମଧ୍ୟ ବିଶେଷ ଗୁରୁତ୍ଵ ଦିଆଯାଇଛି ।
ଏହି ବୈଠକରେ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା ଏବଂ ବିଭାଗୀୟ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଆଲୋଚନାରେ ପର୍ଯ୍ୟଟକମାନଙ୍କ ପାଇଁ ଆବାସ ସୁବିଧା, ଗନ୍ତବ୍ୟ ପ୍ରସ୍ତୁତି, ସ୍ବେଚ୍ଛାସେବୀ ଏବଂ ଗାଇଡମାନଙ୍କ ତାଲିମ ଓ କ୍ୟୁରେଟେଡ ଟୁର ପ୍ୟାକେଜର ପ୍ରସ୍ତୁତି ସମ୍ବନ୍ଧରେ ବିଶେଷ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଆନ୍ତର୍ଜାତୀୟ ତଥା ଜାତୀୟ ପ୍ରତିନିଧିମାନଙ୍କ ପାଇଁ ଏକ ନିରନ୍ତର ଓ ସାଂସ୍କୃତିକ ପର୍ଯ୍ୟଟନର ଅନୁଭୂତି ପ୍ରଦାନ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଏହି ବୈଠକରେ ଉଲ୍ଲେଖ କରାଯାଇଛି ।