ଖୋର୍ଦ୍ଧା- ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ସତ୍ୟସାଇ ମନ୍ଦିର ରାସ୍ତାରେ ଆଜି ପୂର୍ବାହ୍ନରେ ବନ୍ଧୁକ ମୁନରେ ୨୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏକ ଘରୋଇ ସଂସ୍ଥାର ଏଜେଂଟ ବୀମା ଟଙ୍କା ଜମା କରିବାକୁ ନିକଟସ୍ଥ ବ୍ୟାଙ୍କକୁ ଯିବା ବେଳେ ଲୁଟ୍ ର ଶିକାର ହୋଇଛନ୍ତି ।
ବାପୁଜୀ ମହାରଣା ନାମକ ଏହି ଏଜେଂଟ ଏଲଆଇସି ଅଫିସରୁ ୨୩ ଲକ୍ଷ ଟଙ୍କା ଉଠାଣ କରି ବ୍ୟାଙ୍କକୁ ଜମା କରିବାକୁ ଯାଉଥିବା ବେଳେ ଦୁଇଟି ବାଇକ୍ ରେ ୪ ଜଣ ଦୁର୍ବୃତ ଆସି ପ୍ରଥମେ ସମ୍ପୃକ୍ତ ଏଜେଂଟଙ୍କ ବାଇକ୍ ଆଗରେ ବାଇକ୍ ରଖିଥିଲେ । ମଙ୍କି କ୍ୟାପ୍ ପିନ୍ଧା ଏହି ଦୁର୍ବୃତ ମାନେ ପ୍ରଥମେ ବନ୍ଧୁକ ଦେଖାଇ ତାଙ୍କୁ ଭୟଭିତ କରିଥିଲେ । ପରେ ଟଙ୍କା ବ୍ୟାଗ୍ ଟିକୁ ଝାମ୍ପି ନେଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଏନେଇ ସମ୍ପୃକ୍ତ ଏଜେଂଟଙ୍କ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ଦାୟର୍ ହୋଇଛି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗକାରୀଙ୍କୁ ଲୁଟ୍ ସ୍ଥଳକୁ ନେଇ ଏସପି ଅଜେୟପ୍ରତାପ ସ୍ୱାଇଁ ଛାନଭିନ୍ ଆରମ୍ଭ କରିଛନ୍ତି । ତେବେ ଏତେ ଟଙ୍କା ବାଇକ୍ ଯୋଗେ, ବିନା ସୁରକ୍ଷାକର୍ମୀରେ କିପରି ନିଆଯାଉଥିଲା ତାକୁ ନେଇ ଉଠିଛି ପ୍ରଶ୍ନ ।