-
“ଶ୍ରୀ ଜଗନ୍ନାଥ ସଂସ୍କୃତିରେ ସମାଜବାଦ” ବିଷୟବସ୍ତୁ ଉପରେ ଆୟୋଜିତ ହେଲା ଆଜିର ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଅଭିଲେଖାଗାରରେ ଆଜି ୮୧ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ “ଶ୍ରୀ ଜଗନ୍ନାଥ ସଂସ୍କୃତିରେ ସମାଜବାଦ” ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ନିଜର ଅଭିଭାଷଣରେ ସେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରିଥିଲେ।
ସେ କହିଥିଲେ ଯେ, ପୁରୀ ଶ୍ରୀ ମନ୍ଦିର ଏବଂ ଜଗନ୍ନାଥ ସଂସ୍କୃତି ପାଇଁ ଆମ ରାଜ୍ୟ ଓଡ଼ିଶା ବିଶ୍ୱ ସ୍ତରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ପ୍ରତିଟି ଓଡ଼ିଆଙ୍କର ଆରାଧ୍ୟ ଦେବତା। ତେଣୁ ମହାପ୍ରଭୁଙ୍କ ଆଶୀର୍ବାଦ ସହ ଆମେ ସମସ୍ତେ ଜଗନ୍ନାଥ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ପାଇଁ ସଦାସର୍ବଦା ଚେଷ୍ଟିତ ରହିବା ଉଚିତ ବୋଲି ଶ୍ରୀ ଆଚାର୍ଯ୍ୟ ମତପ୍ରକାଶ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ଼. ଶେଖସୋଲେମାନ୍ ଅଲ୍ଲୀ ସ୍ୱାଗତଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ବରିଷ୍ଠ ଅଧିକାରୀ, ସାହିତ୍ୟିକ, ଐତିହାସିକ, ଶିକ୍ଷାବିତ୍ ଏବଂ ବିଭିନ୍ନ ବର୍ଗରୁ ଆସିଥିବା ଶ୍ରୋତାଗଣମାନେ ଉପସ୍ଥିତ ଥିଲେ।
ପ୍ରକାଶଯୋଗ୍ୟ ଯେ, ପ୍ରତିମାସରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ପକ୍ଷରୁ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଉଛି। ଏହି ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ଜନସାଧାରଣ ଓଡ଼ିଆ ସଂସ୍କୃତି ସମ୍ବନ୍ଧୀୟ ବିଭିନ୍ନ ବିଷୟ ବସ୍ତୁ ସମ୍ବନ୍ଧରେ ଅବଗତ ହେବା ସହ ବିଶେଷ ଭାବେ ଯୁବପିଢ଼ିମାନେ ଏହି ଚର୍ଚ୍ଚା ଦ୍ୱାରା ଅନୁପ୍ରାଣିତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି।