ଭୁବନେଶ୍ୱର– ବିଜ୍ଞାନ ଓ ବୈଷୟିକ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ପାଳିତ ହୋଇଛି । ଏହି ଅବସରରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନର ଉପଯୋଗୀତା ଦ୍ୱାରା ମାନବ ଜୀବନ କଲ୍ୟାଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାର ସଠିକ ପରିଚାଳନା ହିଁ ସମାଜରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ ବୋଲି ସେ ଉଲ୍ଲେଖ କରିଥିଲେ। ବାର୍ଷିକ ଉତ୍ସବ ପାଳନ ଦ୍ୱାରା ପାରସ୍ପରିକ ସଦଭାବ ଦୃଢ଼ ହୋଇଥାଏ ଏବଂ କାର୍ଯ୍ୟକ୍ଷେତ୍ରରେ ଏହାର ସୁପ୍ରଭାବ ପଡିଥାଏ ବୋଲି ସେ କହିଥିଲେ । ସେହିଭଳି ସମ୍ମାନନୀୟ ଅତିଥି ଭାବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଯୋଗ ଦେଇ ମଣିଷର କର୍ମ ହିଁ ଜୀବନାଦର୍ଶର ମାର୍ଗ ଉନ୍ମୁକ୍ତ କରିଥାଏ ବୋଲି କହିଥିଲେ । ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କଳା, ସଂସ୍କୃତିର ଲୁକ୍କାୟିତ ପ୍ରତିଭା ଲୁଚି ରହିଛି ଏବଂ ଏଭଳି କାର୍ଯ୍ୟକ୍ରମ ଏହାକୁ ଆହୁରି ସୁଦୃଢ କରିଥାଏ ବୋଲି ସେ କହିଥିଲେ । ସେହିଭଳି ଓଡିଶା ମହାକାଶ ଉପଯୋଗ କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ରଶ୍ମିତା ପଣ୍ଡା ମଧ୍ୟ ଉତ୍ସବ ପାଳନ ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରୁଥିଲେ । ସେହିଭଳି ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ପଦ୍ମଲୋଚନ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ପରିଷଦର ସଭାପତି ତଥା ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ତଥା ଉପଶାସନ ସଚିବ ଶ୍ରୀମତୀ ଉର୍ମିପ୍ରଭା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ପରିଷଦର ବାର୍ଷିକ ପତ୍ରିକା ବିଜ୍ଞାନ କଳିକା-୨୦୨୪ ଉନ୍ମୋଚିତ ହୋଇଛି । ଏଥିସହ ନାଟକ ଫେରୁଛି ଫଗୁଣ ପରିବେଷଣ ହୋଇଛି। ନାଟ୍ୟକାର ଶ୍ରୀ ଶ୍ରୀକାନ୍ତ ହରିଚନ୍ଦନ, ନିର୍ଦ୍ଦେଶକ ଶ୍ରୀ ଅବିନାଶ ଦଣ୍ଡପାଟ, ସହ ନିର୍ଦ୍ଦେଶକ ଶ୍ରୀ ମୃତ୍ୟୁଞ୍ଜୟ ଶତପଥୀ ଓ ଶ୍ରୀ ଦେବଦତ୍ତ ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ କୈଳାଶ ସେନାପତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।