ନୂଆଦିଲ୍ଲୀ– ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଓ ବିଜେପି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ଧନଖଡ ଓ ଜୟନ୍ତ ନୂଆଦିଲ୍ଲୀରେ କୃଷକ ଘାଟରେ ପହଂଚି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପୁଷ୍ପାଂଜଳି ଅର୍ପଣ କରିଛନ୍ତି । ବିଜେପି ଏକ୍ସ ହ୍ୟାଣ୍ଡେଲରେ ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛି । ବିଜେପି ପକ୍ଷରୁ କୁହାଯାଇଛି ଚାଷୀଙ୍କ ସ୍ୱରକୁ ସୁଦୃଢ କରିଥିବା ପ୍ରଖର ନେତା, ଭାରତ ରତ୍ନରେ ଅଳଙ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଜୟନ୍ତୀ କୃଷକ ଦିବସ ଅବସରରେ କୋଟି କୋଟି ପ୍ରଣାମ ।
ପ୍ରଧାନମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଚୌଧୁରୀ ଚରଣ ସିଂହଙ୍କ 122ତମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ, ଦେଶ ପ୍ରତି ତାଙ୍କ ସମର୍ପଣ ଓ ସେବାଭାବ ପ୍ରତ୍ୟେକଙ୍କୁ ପ୍ରେରିତ କରୁଥିବ । ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ଗରିବ ଓ ଚାଷୀଙ୍କ ବାସ୍ତବ ହିତୈଷୀ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ତାଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଂଜଳି । ଦେଶ ପ୍ରତି ତାଙ୍କ ସମର୍ପଣ ଓ ସେବାଭାବ ପ୍ରତ୍ୟେକଙ୍କୁ ପ୍ରେରିତ କରୁଥିବା । ଏହାସହିତ ପିଏମ ମୋଦି ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ଚରଣ ସିଂହଙ୍କ ଭାଷଣ ରହିଛି ।
ଉପରାଷ୍ଟ୍ରପତି ଧନଖଡ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ଦେଶର ସମସ୍ତ ଚାଷୀଙ୍କୁ ପ୍ରଣାମ କରିଛନ୍ତି । ସେ କହିଛନ୍ତି ଯେ, 2001 ମସିହାରେ ସଠିକ୍ ନିଷ୍ପତି ନେଇ କୃଷକ ଦିବସର ଆରମ୍ଭ କରାଗଲା । ଚୌଧୁରୀ ଚରଣ ତାଙ୍କର ସମସ୍ତ ଜୀବନ ଚାଷୀ ଓ ଦେଶର ବିକାଶ ପାଇଁ ସମର୍ପିତ କରିଥିଲେ ।
ଉପରାଷ୍ଟ୍ରପତି ଧନଖଡ କହିଛନ୍ତି ଯେ, ଆସନ୍ତା ବର୍ଷ କୃଷକ ଦିବସର 25 ବର୍ଷ ପୂରଣ ହେବ । ଆମ ସମସ୍ତଙ୍କୁ ସଂକଳ୍ପ ନେଇ ପୂରା ବର୍ଷ କାର୍ଯ୍ୟକ୍ରମ କରିବାକୁ ପଡିବ, ଯଦ୍ୱାରା ଚାଷୀଙ୍କ ହିତକୁ ସର୍ବୋପରି ରଖିହେବ ।