ପୁରୀ- ବଡ଼ଦିନ ଓ ନୂଆବର୍ଷକୁ ନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ । ପୁରୀରେ ନୂଆବର୍ଷରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସପି ବିନୀତ ଅଗ୍ରୱାଲ୍ । ବିଶେଷ କରି ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ମାନେ କିଭଳି ସୁରକ୍ଷିତ ସମୁଦ୍ର ସ୍ନାନ କରିବେ ସେନେଇ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ କରାଯିବ ବୋଲି ଏସପି କହିଛନ୍ତି । ସେହିପରି ଆସନ୍ତା ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ । ଏ ସମ୍ପର୍କରେ ହୋଟେଲ୍ ଆସୋସିଏସନ ସହ ଆଲୋଚନା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
ଅନ୍ୟପଟେ ନୂଆବର୍ଷରେ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯିବ । ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
ଏହା ବ୍ୟତୀତ ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତନ ପ୍ରକ୍ରିୟା କ୍ରିୟାନ୍ୱୟନ ହେବ । ଏବଂ ପରୀକ୍ଷାମୂଳକ ଭାବେ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ଧାଡି ଦର୍ଶନ ହେବ । ଜାନୁଆରୀ ୧ ତାରିଖ ଅର୍ଥାତ୍ ନୂଆବର୍ଷ ଠାରୁ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ ହେବ । ଭକ୍ତମାନେ ସାତ ପାହାଚ ଦ୍ୱାର ଦେଇ ପ୍ରବେଶ କରିବାକୁ ଥିବାବେଳେ ଘଂଟି ଏବଂ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।