କଣାସ- କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନର ଉନ୍ନତି ହେଲେ ଦେଶର ପ୍ରଗତି ସମ୍ଭବ ବୋଲି ଗଣମାଧ୍ୟମରେ ଡେଙ୍ଗୁରା ପିଟୁଥିବା ବେଳେ ରାସ୍ତା ଓ ବ୍ରିଜ ନିର୍ମାଣ ପରେ ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣା ଅଭାବରୁ ତାହା ଜନସାଧାରଣଙ୍କ ଯାତାୟତ ପାଇଁ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳୁଛି । ପୁରୀ ଜିଲ୍ଲା କଣାସ ବ୍ଲକର କରମଳା ଠାରେ ଲୁଣାନଦୀ ଉପରେ ନିର୍ମିତ ବ୍ରିଜ୍ ତାହାର ଏକ ଜ୍ୱଳନ୍ତ ଉଦାହରଣ ।
ଖବର ନେବାରେ ଜଣାପଡିଛି, କଣାସ ବ୍ଲକ ଓ ବ୍ରହ୍ମଗିରି ବ୍ଲକକୁ ସଂଯୋଗ କରିବା ପାଇଁ ୧୯୯୭ ମସିହାରେ କରମଳା ଠାରେ ଠାକୁର ଅଭିରାମ ପରମହଂସଙ୍କ ଶାନ୍ତିଧାମ ଆଶ୍ରମର ନିକଟରେ ଲୁଣାନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ କରାଯାଇଥିଲା । ହେଲେ ଇତିମଧ୍ୟରେ ଦୀର୍ଘ ୨୩ ବର୍ଷ ଧରି ବ୍ରିଜ୍ ମରାମତି ସମ୍ପର୍କରେ ଧ୍ୟାନ ଦିଆନଯାଇଥିବାରୁ ବ୍ରିଜର ଗୋଟିଏ ପାଖ କଂକ୍ରିଟ୍ ବାଡ଼ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବାବେଳେ ଅନ୍ୟ ବାହଲଟି ଖଣ୍ଡଖଣ୍ଡ ହୋଇ ଭାଙ୍ଗିଯାଇଛି । ସେତୁର ପୂର୍ଣ୍ଣ ନିର୍ମାଣ ପାଇଁ ବହୁବାର ପୂର୍ବରୁ ବିଭାଗୀୟ ଉଚ୍ଚ ଅଧିକାରୀ, ସତ୍ୟବାଦୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କୁ ଅବଗତ କରାଯାଇଥିଲା । ଏପରିକି ବିଧାୟକ ସଞ୍ଜୟ ଘଟଣାସ୍ଥଳକୁ ଯାଇ ବ୍ରିଜ୍ ର ବାସ୍ତବ ସ୍ଥିତି ଦେଖିସାରିବା ପରେ ତୁରନ୍ତ ପୋଲଟିକୁ ଭାଙ୍ଗି ନୂତନ ପୋଲ ନିର୍ମାଣ କରିବାକୁ ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେହି ଭଙ୍ଗା ପୋଲରେ ଜନସାଧାରଣ ଜୀବନକୁ ବିପଦରେ ପକାଇ ପ୍ରତ୍ୟେକ ଦିନ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ପୋଲର ଗୋଟିଏ ପାଶ୍ୱର୍ ସାଇଡ୍ କଂକ୍ରିଟ୍ ବାଡ଼ ଭାଙ୍ଗିଯାଇଥିବାରୁ ଅନେକ ସମୟରେ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟିବାର ନଜିର୍ ରହିଛି । ଇତିମଧ୍ୟରେ ଗତ ୨୨ ତାରିଖ ଠାରୁ ଠାକୁର ଅଭିରାମ ପରମହଂସଙ୍କ ଜୟନ୍ତୀ ଉତ୍ସବ ଚାଲିଥିବାରୁ ସେ ଭଙ୍ଗା ପୋଲ ଉପରେ ଶହଶହ ଯାତ୍ରୀ ଜୀବନକୁ ବିପନ୍ନ କରି ଯାତାୟାତ କରୁଛନ୍ତି । ଏହି ଉତ୍ସବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କୁହନ୍ତି, ନୂତନ ବ୍ରିଜ୍ ନିର୍ମାଣ ପାଇଁ ୮ ମାସ ହେଲା ଠିକାଦାର ନିଯୁକ୍ତି କରାଯାଇଛି । କିନ୍ତୁ, ନିଯୁକ୍ତି ପାଇଥିବା ଠିକାଦାର କାମ ଆରମ୍ଭ କରିନାହାନ୍ତି ।