ଭୁବନେଶ୍ୱର – ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ରାଉତଙ୍କର ଶୁକ୍ରବାର ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।
ଭଦ୍ରକ ଜିଲ୍ଲାର ଧୁଷୁରି ବ୍ଲକର ନରସିଂହପୁର ଗାଁରେ ୧୩ ନଭେମ୍ବର ୧୯୪୨ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ଭଦ୍ରକ ଜିଲ୍ଲାର ଧାମନଗର ଆସନରୁ ୩ ଥର କଂଗ୍ରେସ ବିଧାୟକ ଥିଲେ । ସେ ଅଷ୍ଟମ, ନବମ ଓ ଏକାଦଶ ବିଧାନସଭାରେ ଧାମନଗର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ସେ ୧୯୮୯ରୁ ୧୯୯୦ ଯାଏଁ ଶିଳ୍ପ ମନ୍ତ୍ରୀ ଭାବେ , ୧୯୯୫ରୁ ୧୯୯୮ ମସିହା ଯାଏଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ୧୯୯୮ରୁ ୧୯୯୯ ଯାଏଁ ସହରାଂଚଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ବ୍ୟତୀତ ସେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା କଂଗ୍ରେସର ସଭାପତି ପଦବୀରେ ମଧ୍ୟ ରହିଥିଲେ ।
ସ୍ୱର୍ଗତ ରାଉତଙ୍କର ପତ୍ନୀ ଶ୍ରୀମତୀ ବାସନ୍ତୀ ରାଉତ ଅଧ୍ୟାପିକା ଭାବେ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଜଣେ ପୁଅ ଓ ଝିଅ ରହିଛନ୍ତି । ପୁଅ ଅଭିଷେକ ରାଉତ କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ହୋଇଥିବା ବେଳେ ଝିଅ ଜଣେ ଡାକ୍ତର ।
ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁର ଖବର ପାଇ ବହୁ ରାଜନେତା , କଂଗ୍ରେସର ସଦସ୍ୟ ମାନେ ଡାକ୍ତରଖାନା ଯାଇ ଶେଷ ଦର୍ଶନ କରିଥିଲେ ।