
ସୁବର୍ଣ୍ଣପୁର– ଆଜି ନବନିର୍ମାଣ କୃଷକ ସଂଗଠନ, ସୁବର୍ଣ୍ଣପୁର ତରଫରୁ ଦୁର୍ଜନତୈଲା ପଞ୍ଚାୟତ ପ୍ରାଙ୍ଗଣ ଠାରେ ଧାନ କିଣା ପୂର୍ବରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ଏହାର ଅଧକ୍ଷତା କରିଥିଲେ। ରାଜ୍ୟ ଉପ ସଭାପତି ସୋନାଲି ବିଶି ଯୋଗ ଦେଇ ମୁଖ୍ୟ ସଚେତନ ବାର୍ତ୍ତା ଦେଇଥିଲେ। ପଞ୍ଚାୟତର ସବୁ ଗାଁ ର ଚାଷୀ ପ୍ରତିନିଧି ମାନେ ଯୋଗ ଦେଇ ନିଜ ନିଜ ଗାଁ ରେ ଥିବା ଚାଷୀ ସମସ୍ୟା ଯଥା ହାତୀ, ବାରହା, ମାଙ୍କଡ ଉପଦ୍ରବ, ଜଳସେଚନ ସମସ୍ୟା, ଧାନ ଶୁଖାଇବା ପାଇଁ ଖଳାର ସମସ୍ୟା ଆଦି ସଂଗଠନକୁ ଅବଗତ କରାଇଥିଲେ। ସ୍ବାସ୍ଥ୍ୟ ସମସ୍ୟା ଭାବେ କିଡନୀ ରୋଗ ବ୍ୟାପୁଥିବାରୁ ସଂଗଠନ ଉଦବେଗ ପ୍ରକାଶ କରିଥିଲା। ବିଗତ ବର୍ଷ ଗୁଡ଼ିକରେ ପେକ୍ସ ରେ ହେଉଥିବା ଚାଷୀ ସମସ୍ୟା ଉପରେ ମନ୍ତବ୍ୟ ଦେଇଥିଲେ ଚାଷୀ। ଧାନର ସୁରକ୍ଷା ପାଇଁ ଟାର୍ପୋଲିନ୍ ନ ଦେବା, ସାର କିଣିଲେ ରିଶିପ୍ଟ ନ ମିଳିବା ଆଦି ଅଭିଯୋଗ କରିଥିଲେ। ସମ୍ପାଦକ ଏ ସବୁ ଅସୁବିଧା ହେବନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ଶ୍ରୀମତୀ ସୋନାଲି ବିଶି ମଣ୍ଡି ରେ ହେଉଥିବା ଅନ୍ୟାୟ ବିରୁଦ୍ଧ ରେ ଆବାଜ୍ ଉଠେଇବା ଓ ସଂଗଠିତ ହେବା ପାଇଁ ଆହ୍ଵାନ ଦେଇଥିଲେ। ଚାଷୀଙ୍କ ପ୍ରାଇସ, ପ୍ରେଷ୍ଟିଜ୍ ପେନସନ ପାଇଁ ନବନିର୍ମାଣ କୃଷକ ସଂଗଠନ ସବୁବେଳେ ଚେଷ୍ଟିତ ବୋଲି ସେ କହିଥିଲେ। ଜିଲ୍ଲା ସଭାପତି ଶ୍ରୀ ପାଢ଼ୀ ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସ, ଥାନାରୁ ଆରମ୍ଭ କରି ଡାକ୍ତରଖାନା ସବୁଠି ସଂଗଠନ ଲୋକଙ୍କୁ ଦୁର୍ନୀତିରୁ ରକ୍ଷା କରିବା ପାଇଁ ଏକ ଢାଞ୍ଚା ତିଆରି କରିବ। ଏହି ଢାଞ୍ଚାରେ ନିଜର ଭୂମିକା ନିର୍ଣ୍ଣୟ କରିବା ପାଇଁ ସେ ଚାଷୀ ଙ୍କୁ ଆହ୍ଵାନ କରିଥିଲେ।
ଶୀଘ୍ର ମଣ୍ଡି ଖୋଲିବା, ସୁରୁଖୁରୁରେ ବିନା କଟନି ଛଟନି ରେ ଧାନ କିଣା ହେବା, ଆନାଲାଇଜର ମେସିନ୍ ର ଠକାମୀ ବନ୍ଦ କରିବା, ଏଫ୍ ସି ଡବ୍ଲ୍ୟୁ ସାଇଟ୍ ରେ ଚାଷୀ ଡାଟା କୁ ସାର୍ବଜନୀନ କରିବା, ଶୀଘ୍ର ପେକ୍ସ ଭିତ୍ତିଭୂମି, ସେଡ୍ ଆଦି ର ନିର୍ମାଣ ଓ ଅଞ୍ଚଳ ରେ କିଡନୀ ଡାଇଲିସିସ କେନ୍ଦ୍ର ସ୍ଥାପନ ଆଦି ପ୍ରସ୍ତାବ ଆଗତ ହୋଇଥିଲା।