ନୂଆଦିଲ୍ଲୀ, ଆମ୍ବେଦକରଙ୍କ ଅପମାନ ଅଭିଯୋଗ ପ୍ରସଙ୍ଗକୁ ନେଇ ଶୁକ୍ରବାର ବିରୋଧୀମାନେ ବିଜୟ ଚୌକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ସାମିଲ ବିରୋଧୀ ସାଂସଦ ବିଜୟ ଚୌକରୁ ସଂସଦ ଯାଏ ବିରୋଧ ମାର୍ଚ୍ଚ ବାହାର କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ରାଜ୍ୟସଭାରେ ଆମ୍ବେଦକରଙ୍କ ଉପରେ ଦିଆଯାଇଥିବା ଅପମାନଜନକ ବୟାନ ପାଇଁ କ୍ଷମା ମାଗିବା ତଥା ଇସ୍ତଫା ଦାବି କରିଛନ୍ତି ।
ଅନ୍ୟପଟେ ବିଜେପି କାଲି ସଂସଦରେ ଦୁଇ ସାଂସଦଙ୍କ ଆହତକୁ ନେଇ ଆଜି ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ପାର୍ଟିର କହିବା କଥା ଯେ, ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ବାବା ସାହେବଙ୍କ ଅପମାନ କରିଛନ୍ତି, ଯାହାକୁ କେବେ ଦେଶ ବରଦାସ୍ତ କରିବ ନାହିଁ । ପାର୍ଟିର ନେତୃତ୍ୱରେ ଆଜି ଆଇଏନଡିଆଇଏ ମେଂଟର ସାଂସଦ ବିଜୟ ଚୌକରୁ ସଂସଦ ଯାଏ ରାଲି କରିଛନ୍ତି । ଦେଶବାସୀଙ୍କୁ ଅମିତ ଶାହ କ୍ଷମା ମାଗୁନ୍ତୁ ଏବଂ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି ।