ଖୋର୍ଦ୍ଧା– ପବିତ୍ର ଧନୁ ସଂକ୍ରାନ୍ତିରୁ ଧନୁ ରାଶିରେ ସୂର୍ଯ୍ୟଙ୍କ ଚଳନ ଆରମ୍ଭ । ଦକ୍ଷିଣାୟନ ଗତି । ଧନୁ ସଂକ୍ରାନ୍ତିରୁ ମକର ପର୍ଯ୍ୟନ୍ତ ମା’ଙ୍କ ପାଖରେ ଲାଗି ହୁଏ ଧନୁ ମୁଆଁ । ଏହା ଓଡ଼ିଶାର କୃଷିଭିତିକ ପର୍ବ । ଚାଷି ଭାଇଙ୍କର ଧାନ ଅମଳର ସମୟ । ନିଜ ଜମିରୁ ଆଦାୟ ଶସ୍ୟ ଧାନ ଫସଲରେ ମୁଆଁ ତିଆରି କରି ଦେବାଦେବୀଙ୍କୁ ଅର୍ପଣ କରିବାର ପର୍ବ । ପ୍ରତି ଓଡ଼ିଆଙ୍କ ଘରେ ମନ୍ଦିରରେ ମୁଆଁ ଭୋଗ । ମା’ ଭାଗବତୀଙ୍କ ପୀଠରେ ମଧ୍ୟ ଲାଗି ହୋଇଛି ନୂଆ ଧାନରୁ ପ୍ରସ୍ତୁତ ଲିଆ, ଗୁଡ଼, ନଡ଼ିଆ ଗୁଆଘିଅ, କାଜୁ ମସଲାରେ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ ମୁଆଁ । ମା’ଙ୍କ ଜମିରୁ ଅମଳ ନୂଆଁଧାନର ଲିଆରୁ ମଧୁବୈଶ୍ୟ ସେବାୟତମାନଙ୍କ ଦ୍ୱାରା ଏହି ମୁଆଁ ପ୍ରସ୍ତୁତ ହୋଇ ଲାଗି ହେବାର ପରମ୍ପରା ଥିବାବେଳେ ତାହା କାଳକ୍ରମେ ବନ୍ଦ ହୋଇଯାଇଥିବାରୁ ଏଣ୍ଡାଓମେଂଟ ତରଫରୁ ଏହାକୁ ପ୍ରସ୍ତୁତ କରାଯାଇ ମା’ଙ୍କ ପାଖରେ ଲାଗି କରାଯାଉଛି । ପରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଂଟନ କରାଯାଇଛି ।
ଆଜିର ଏହି ପବିତ୍ର ତିଥିରେ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବଲ୍ଲଭ ସାଥିରେ ଚାରୋଟି ଧନୁମୁଆଁ ନେଇ ପାଳିଆ ମାଳି ସେବକମାନେ ପରିଚ୍ଛା ସାମନ୍ତଙ୍କୁ ବଢେଇଲା ପରେ ଘଂଟ ଘଂଟା କାହାଳୀ ବାଜି ମା’ଙ୍କୁ ଧୂପ କରାଯାଇ ଆଳତି ବଢିଥିଲା । ତାପରେ ସର୍ବସାଧାରଣ ଦର୍ଶନ ଓ ଭୋଗ ଲାଗି ହୋଇ ଖେଚୁଡ଼ି ଡାଲି ଏବଂ ଧୂପ ପରେ ଅନ୍ନ, ଡାଲି, ମହୁର, ଖିରୀ, ଏଣ୍ଡୁରୀ ଭୋଗ ହୋଇ ଦିବା ପହୁଡ଼ ଅନୁଷ୍ଠିତ ହୋଇଥିଲା । ଧନୁସଂକ୍ରାନ୍ତିରେ ମା’ଙ୍କ ଦର୍ଶନ ପାଇଁ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
Related Stories
January 8, 2025