ନୂଆଦିଲ୍ଲୀ– ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ସେବାଭାରତୀ ସମାଜରେ ଉପେକ୍ଷିତ ଏବଂ ବଂଚିତ ବର୍ଗଙ୍କ ଉତ୍ଥାନର ଯେଉଁ କାର୍ଯ୍ୟରେ ଲାଗିଛି, ସେଥିରେ ନିସନ୍ଦେହ ଭାରତକୁ ପୁନଃ ବିଶ୍ୱଗୁରୁ ହେବା ଓ ସମାବେଶୀ ଭାରତ ନିର୍ମାଣରେ ସହଯୋଗ ମିଳିବ ।
ଡ.ଆମ୍ବେଦକର ଇଂଟରନ୍ୟାସନାଲ ସେଂଟରରେ ଆୟୋଜିତ ସେବା ସମ୍ମାନ କାର୍ଯ୍ୟକ୍ରମରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଓ ଜାତୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ଆଲୋକ କୁମାର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ । ଜୟ ଭାରତ ମାରୁତି ଲି.(ଜେବିଏମ)ର ସିଏମଡି ସୁରେନ୍ଦ୍ର ଆର୍ଯ୍ୟ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଛନ୍ତି ।
କାର୍ଯ୍ୟକ୍ରମକୁ ସଂବୋଧିତ କରି ମୁଖ୍ୟ ଅତିଥି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ସରକାରଙ୍କ ସହିତ ଦେଶର ଜାଗୃତ ଲୋକଙ୍କୁ ବି ସମାଜର ସମାବେଶୀ ବିକାଶରେ କାର୍ଯ୍ୟ କରିବାକୁ ପଡିବ । ଏକାତ୍ମ ମାନବତାବାଦ ଏବଂ ଅନ୍ତୋଦୟର ଯେଉଁ ବିଚାର ସହିତ ସେବା ଭାରତୀର କାର୍ଯ୍ୟକର୍ତ୍ତା କାର୍ଯ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ଅଟେ । ରାଜନାଥ ସିଂହ ସମସ୍ତ ସମ୍ମାନ ପ୍ରାପ୍ତ ବିଭୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ ଜାତୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ଆଲୋକ କୁମାର କହିଛନ୍ତି ଯେ, ସେବା ହିଁ ସେହି କାର୍ଯ୍ୟ ଅଟେ, ଯେଉଁଥିରେ ସମାଜରେ ଅସମାନତାର ଖାଇକୁ କମ୍ କରାଯାଇପାରିବ । ଆଲୋକ କୁମାର ଶନିବାର ନୂଆଦିଲ୍ଲୀରେ ସେବା ଭାରତୀ ଦ୍ୱାରା ଆୟୋଜିତ ସେବା ସମ୍ମାନ 2024 କାର୍ଯ୍ୟକ୍ରମକୁ ସଂବୋଧିତ କରିଛନ୍ତି ।