କନ୍ଧମାଳ– କନ୍ଧମାଳ ଜିଲ୍ଲାର ଏକମାତ୍ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ତରଫରୁ ଏକୋଇଶି ତମ ଅବଦାନ ସ୍ୱରୂପ ନାଟ୍ୟକାର ଲିଙ୍ଗରାଜ ନାହାକଙ୍କ ରଚିତ ଏକ ଭିନ୍ନ ସ୍ୱାଦର ସାମାଜିକ ନାଟକ ଅଭିନେତ୍ରୀ ଡିସେମ୍ବର ୧୪ ତାରିଖରେ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ନାଟକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପାୟଲ ଜ୍ୟୋତି ରାଉତ, ଭୁବନେଶ୍ୱର, ସୁରପ୍ରସାଦ ନାୟକ, ସୁକାନ୍ତ ବେହେରା, କୁମୁଦ ସାହୁ, ଯୁଧିଷ୍ଠିର ମହାନ୍ତି, ବନ ମହାନ୍ତି, ଅବସରପ୍ରାପ୍ତ କାମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ସୁନୀତା, ଟିକିନା ଓ ଜୟକୃଷ୍ଣ ଆଦି ସମସ୍ତ କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା। ଏହି ନାଟକର ନିର୍ଦେଶନା ଡ଼ଃ. ଅରୂପ ଜେନା ଦେଇଥିବା ବେଳେ କାର୍ଯ୍ୟକାରୀ ନିର୍ଦେଶକ ପ୍ରଭାତ ଦାଶ, ସହ ନିର୍ଦେଶକ ବିଜୟ ପଟନାୟକ ସହଯୋଗ କରିଥିଲେ l ନୃତ୍ୟ ଓ ସଂଗୀତ ନିର୍ଦେଶନା ଦେଇଥିଲେ ବିନୋଦ ସାହୁ ଓ କଣ୍ଠଦାନ କରିଥିଲେ ତନୁଜା ମହାନ୍ତି। ନାଟ୍ୟ ପରିଚାଳନା ଦାଇତ୍ୱ ରେ ଥିବା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଓ ମଞ୍ଚ ପରିଚାଳନା କାର୍ଯ୍ୟ ଅଶୋକ ପରିଡା ସୁଚାରୁରୂପେ ନିର୍ବାହ କରିଥିଲେ।
ଏହି ଅବସରରେ ବ୍ରହ୍ମପୁର ର ନାଟ୍ୟକାର ଲିଙ୍ଗ ରାଜ ଜେନାମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇଦିନ ଧରି ମଞ୍ଚସ୍ଥ ହେଉଥିବା ନାଟକ ଉଦଘାଟନ କରିଥିଲେ। ନାଟ୍ୟକାର ଶ୍ରୀ ଜେନାଙ୍କୁ ବନାନୀ କଳା ସଙ୍ଗମ ପକ୍ଷରୁ ଫୁଲତୋଡ଼ା, ଉପଢୌକନଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଲିଙ୍ଗରାଜ ଜେନାଙ୍କ ଲିଖିତ ଭିନ୍ନ ଏକ ଦେବଦାସୀ ପୁସ୍ତକକୁ ବନାନୀ କଳା ସଙ୍ଗମ ଉପଦେଷ୍ଟା ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ଉଦଘାଟନ କରିଥିଲେ। ସହରର ବହୁ ନାଟ୍ୟପ୍ରେମୀ, କଳାକାର, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଏହାକୁ ବେଶ ଉପଭୋଗ କରିଥିଲେ। ରବିବାର ସନ୍ଧ୍ୟାରେ ମଧ୍ୟ ନାଟକ ମଞ୍ଚସ୍ଥ ହେବ।
Related Stories
January 9, 2025