ଭୁବନେଶ୍ୱର – ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି ପଞ୍ଜାମ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ନବୀନଙ୍କୁ ଏକ ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ ଐତିହ୍ୟ ସହିତ ଓତଃପ୍ରୋତଃ ଭାବେ ଜଡ଼ିତ । ତେଣୁ ଏହାକୁ ସ୍ମାରକୀ ଭାବେ ବିବେଚନା କରି ସୁରକ୍ଷା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ କ୍ରମରେ ମଙ୍ଗୁ ମଠ ଭାଙ୍ଗିବା ନିଷ୍ପତିକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛନ୍ତି ଶ୍ରୀ ସିଂହ । ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ସହ ମଠର ଗାଦିସ୍ଥଳ, ଦେବସ୍ଥଳକୁ ସୁରକ୍ଷା ଯୋଗାଇଦେବାକୁ ସେ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ, ଶିଖ୍ ଧର୍ମର ପ୍ରବର୍ତକ ଗୁରୁ ନାନକଙ୍କର ପୁଅ ଶ୍ରୀ ଚାନ୍ଦ ୧୫୨୫ ମସିହାରେ ଶ୍ରୀକ୍ଷେତ୍ରକୁ ଆସି ଏହି ମଠ ପ୍ରତିଷ୍ଠା କରିଥିଲେ ।