ବଲାଙ୍ଗିର– ବଲାଙ୍ଗିର ଜିଲ୍ଲା ତୁରେକେଲାର ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବା ଠପ୍ ହୋଇପଡିଛି, ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ବଦଳରେ ଅବହେଳା କରାଯାଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ତୁରେକେଲା ବ୍ଲକ ମହୁଲପାଟି ଗାଁରେ ପ୍ରାୟ ୪ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ଚାଷବାସ ଉପରେ ନିର୍ଭର କରି ଚଳିବା ସହ ଗରିବ ଲୋକେ ଦାଦନ ମଧ୍ୟ ଯିବାର ନଜିର ରହିଛି । ତେବେ ସେହି ଗାଁରେ ଅବସ୍ଥିତ ଆରୋଗ୍ୟ ମନ୍ଦିର ରକ୍ଷଣାବେକ୍ଷଣା ଅଭାବରୁ ଭୂତକୋଠି ପାଲଟିଥିଲା । ତେବେ ନିକଟରେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଥିଲା । ଭଙ୍ଗା ଦଦରା ଏହି କୋଠା ଘରକୁ ସଫାସୁତୁରା କରାଯାଇ ନିୟମିତ ଖୋଲାଯାଇ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯାଉଛି । ଏଣିକି ନିୟମିତ ଏଠାକୁ ଡାକ୍ତର ଆସୁଛନ୍ତି ।
ଅନ୍ୟପକ୍ଷରେ ଆଉ ଏକ କୋଠା ମହୁଲବାହେଲି ଗାଁ ପାଖ ସାହି ସର୍ଗିପଡ଼ାରେ ଅଧପନ୍ତରିଆ ହୋଇ ରହିଥିବା ଜଣାପଡିଛି । ଏହି ନୂତନ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଲୋକେ ଆହୁରି ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି । ତେଣୁ ଶୀଘ୍ର ନୂତନ ଅଧପନ୍ତରିଆ କୋଠାର ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବୀ ହେଉଛି ।