-
“ ଓଡିଆର ସ୍ବାଭିମାନ ପାଇଁ ନୀଳମଣି ବିଦ୍ୟାରତ୍ନଙ୍କ ଅବଦାନ ଅବିସ୍ମରଣୀୟ”
ଭୁବନେଶ୍ୱର,ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ(ଭୁବନେଶ୍ୱର)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ପ୍ରାକ୍ତନ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଏକାଧାରରେ ଜଣେ ଦେଶସେବୀ, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାହିତ୍ୟିକ ଏବଂ ସମ୍ପାଦକ ଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଥିଲେ ପୃଷ୍ଠପୋଷକ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ତାଙ୍କ ଉଦ୍ୟମ ତାଙ୍କୁ ଏହି ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ଭାବରେ ସ୍ମରଣୀୟ ରଖିଛି। ଓଡିଆର ସ୍ବାଭିମାନ ପାଇଁ ନୀଳମଣି ବିଦ୍ୟାରତ୍ନଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଶ୍ବଭୁଷଣ ହରିଚନ୍ଦନ ଉଲ୍ଲେଖ କରିଛନ୍ତି।
ମୁଖ୍ୟବକ୍ତା ଭାବେ ଇଷ୍ଟର୍ଣ୍ଣ ମିଡ଼ିଆ ଗ୍ରୁପର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ଜନ୍ମ ଜୟନ୍ତି ପାଳନର ଆବଶ୍ୟକତା ସେହି ଯୋଗଜନ୍ମାଙ୍କ ପାଇଁ ଯେଉଁମାନେ ଏ ଓଡିଶା ମାଟିକୁ ତାଙ୍କ ମହାର୍ଗ ସେବାରେ ସମର୍ପିତ କରିଛନ୍ତି । ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସେହିଭଳି ଜଣେ ମହାପୁରୁଷ । ମାତ୍ର ୫୭ ବର୍ଷ ଜୀବନ କାଳରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଓଡିଶା ରାଜ୍ୟ ଗଠନରେ ତାଙ୍କର ଭୁମିକାକୁ ଆଜି ବି ଏ ଜାତି ସ୍ମରଣ କରୁଛି । ଶ୍ରୀ ପଟ୍ଟନାୟକ ତାଙ୍କୁ ଜଣେ ସ୍ପଷ୍ଟବାଦୀ ଓ ନିର୍ଭୀକ ବ୍ୟକ୍ତିତ୍ୱ ଭାବେ ଅଭିହିତ କରି କହିଥିଲେ ଯେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସମ୍ବାଦପତ୍ରର ସମ୍ପାଦନା କରି ଓଡ଼ିଆ ପତ୍ରିକା ସମ୍ପାଦନା ଓ ଶୁଦ୍ଧ ପାଠ୍ୟପୁସ୍ତକ ସମ୍ପାଦନାକୁ ମହତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ସେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିଛନ୍ତି। ବହୁ ସମାଜ ସଂସ୍କାରମୂଳକ କାର୍ଯ୍ୟ ସହ ପରବର୍ତ୍ତୀ ସମୟରେ ସେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ନିମନ୍ତେ ପଥ ଉନ୍ମକ୍ତ କରିଥିଲେ। ସମ୍ମାନନୀୟ ଅତିଥ୍ ଭାବେ ବଡଚଣାର ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ତାଙ୍କ ବକ୍ତବ୍ୟରେ ବିଦ୍ୟାରତ୍ନଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ କୃତି ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖି ଓଡ଼ିଶା ଇତିହାସରେ ତାଙ୍କ ଅବଦାନ ସ୍ମରଣୀୟ ରହିବ ବୋଲି କହିଥିଲେ।
ପ୍ରାକ୍ତନ ବିଧାୟକ ତଥା ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଭାପତି ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କୁ ସ୍ୱତନ୍ତ୍ର ଓଡ଼ିଶାର ନବ ଜାଗରଣର ଅଗ୍ରଦୂତ ବୋଲି କହିଥିଲେ ।
ସଭା ପ୍ରାରମ୍ଭରେ ଅତିଥିମାନେ ପଣ୍ଡିତ ବିଦ୍ୟାରତ୍ନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିବା ବେଳେ ନାଦବ୍ରହ୍ମ ସାଂସ୍କୃତିକ ଅନୂଷ୍ଠାନର କଳାକାରମାନେ ପ୍ରାରମ୍ଭିକ ସଙ୍ଗୀତ ଓ ଭଜନ ପରିବେଷଣ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରି ନୀଳମଣି ବିଦ୍ୟାରତ୍ନଙ୍କୁ ଓଡିଆ ଭାଷା ସୁରକ୍ଷାର ଜନକ ତଥା ଭାଷା ଆନ୍ଦୋଳନର କର୍ଣ୍ଣଧାର ଏବଂ ଓଡିଶା ରାଜ୍ୟ ଗଠନର ମୂଳଦୁଆ ପଡିବାର ମୁଖ୍ୟ ବିନ୍ଧାଣି ବୋଲି ଅଭିହିତ କରିବା ସହିତ ଓଡ଼ିଆ ଜାତି ପାଇଁ ଜଣେ ନମସ୍ୟ ପୁରୁଷ ଭାବେ ମନେ ରଖିବ ବୋଲି କହିଥିଲେ। ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ ସମ୍ପାଦକ ଡା. କୃଷ୍ଣ କେଶବ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ ତରଫରୁ ଜୟଦେବ ବିହାର ସ୍ଥିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ( ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନର ଉପ ନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର ଏବଂ ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।