-
ନଅ ଜିଲ୍ଲାରେ ସତର୍କ ଦୃଷ୍ଟି ରଖିଛି ୪୦ଟି ଏନଫୋର୍ସମେଣ୍ଟ ଟିମ୍
ଭୁବନେଶ୍ୱର-ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି । ରାଜ୍ୟର ପଞ୍ଜିକୃତ ଚାଷୀ ମାନଙ୍କ କୃଷକ ମାନଙ୍କ ଠାରୁ ଧାନ କିଣା ଯିବା ସହ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ମୂଲ୍ୟ ବାବଦକୁ ୨୩ଶହ ଟଙ୍କା ଓ ଇନପୁଟ ସହାୟତା ରାଶି ଭାବେ ୮ଶହ ଟଙ୍କା ପ୍ରଦାନ କରାଯାଉଛି । ଅନ୍ୟ ରାଜ୍ୟର ଧାନ ଯେଭଳି ଆସି ରାଜ୍ୟରେ ବିକ୍ରୟ ନହୁଏ ଏଥିପାଇଁ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଉପରେ କଡା ନଜର ରଖିବା ସହିତ ସୀମାନ୍ତ ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ ମୂତୟନ କରାଯାଇଛି ।
ବର୍ତ୍ତମାନ ବରଗଡ଼, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ଝାରସୁଗୁଡା ଓ ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଯାରି ରହିଛି । ବାହାର ରାଜ୍ୟର ଧାନଗାଡି ଉପରେ ନଜର ରଖିବା ପାଇଁ ସମ୍ପୃକ୍ତ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ୪୦ଟି ଏନଫୋର୍ସମେଣ୍ଟ ଟିମ ମୁତୟନ କରାଯାଇଛି । ଏହି ଟିମ ଗୁଡିକରେ ପ୍ରାୟ ୧୨୦ ଜଣ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଅଛନ୍ତି ।ବାହାର ରାଜ୍ୟ ଧାନ ଗାଡି ଦେଖିଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିକି ସମ୍ପୃକ୍ତ ଜିଲ୍ଲାର ଜନସାଧାରଣ ଓ କୃଷକ ମାନଙ୍କ ମଧ୍ୟରେ ମଧ୍ୟ ଏ ସଂକ୍ରାନ୍ତରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଏଭଳି କିଛି ଘଟଣା ନଜରକୁ ଆସିଲେ ତୁରନ୍ତ ଜଣେଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଆବଶ୍ୟକ ପଡିଲେ ପର୍ଯ୍ୟାୟକ୍ରମେ ଆହୁରି ଅଧିକ ସମ୍ପୃକ୍ତ ଜିଲ୍ଲାରେ ମୁତୟନ କରାଯିବ । ସେମାନେ ସୀମାବର୍ତ୍ତୀ ରାଜ୍ୟରୁ ଧାନନେଇ ଆମ ରାଜ୍ୟ ମଧ୍ୟକୁ ଆସୁଥିବା ଗାଡି ଉପରେ ନଜର ରଖିବେ । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି ଗାଡିକୁ ଜବତ କରିବାକୁ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ଏଥି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ । ନିୟୋଜିତ ଅଧିକାରୀ ଓ ସେମାନଙ୍କ ଯୋଗାଯୋଗ ବ୍ୟବସ୍ଥା ଉପରେ ସେହି ଜିଲ୍ଲାର ଜିଲ୍ଲାପାଳ ନିର୍ଦ୍ଧାରଣ କରିବେ ।