ଭୁବନେଶ୍ୱର – ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ସମନ୍ୱିତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ନିର୍ଦ୍ଧାରିତ ଦିବସରେ କାର୍ଯ୍ୟକ୍ରମରେ ଆଜି ରାଜ୍ୟର ସମସ୍ତ ଆଇ.ସି.ଡି.ଏସ. ପ୍ରକଳ୍ପରେ ଛତୁଆ ମିଶ୍ରଣ କରାଯାଇଛି । କୋରାପୁଟ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ର, ସୋନପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ବିଭିନ୍ନ କେନ୍ଦ୍ର ବୁଲି ଛତୁଆ ମିଶ୍ରଣ ତଦାରଖ କରିଥିଲେ । ବୌଦ୍ଧ, ଯାଜପୁର, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, ନୟାଗଡ଼, ବଲାଙ୍ଗୀର ଓ ପୁରୀ ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ବିଭିନ୍ନ କେନ୍ଦ୍ରରେ ମିଶ୍ରଣ କାର୍ଯ୍ୟକ୍ରମ ନିରୀକ୍ଷଣ କରିଥିଲେ । ବାଲେଶ୍ୱରର କେତୋଟି କେନ୍ଦ୍ରକୁ ଉପଜିଲ୍ଲାପାଳ ଏବଂ ନିମାପଡ଼ାରେ ମେଡ଼ିକାଲ ଅଫିସର ଛତୁଆ ମିଶ୍ରଣର ତଦାରଖ କରିଥିବା ବିଭାଗ ସୂତ୍ରରୁ ପ୍ରକାଶ ।
ଏହି ଛତୁଆ ମିଶ୍ରଣ ପାଇଁ ନିର୍ଦ୍ଧାରିତ ପରିମାଣର ସାମଗ୍ରୀକୁ ପୂର୍ବରୁ ସଂଗ୍ରହ କରାଯାଇ ସେସବୁର ମାନ ଯାଂଚ କରାଯାଇଥିଲା । ସେହିଭଳି ବିଭିନ୍ନ ଛତୁଆ ମିଶ୍ରଣ କେନ୍ଦ୍ରରେ ମଧ୍ୟ ଶୁଖିଲା ଖାଦ୍ୟ ଭାବେ ସୁଜି, ବେସନ ଓ ଲଡ଼ୁ ପ୍ୟାକିଂ କରାଯାଇଥିଲା । ଏହିସବୁ ଛତୁଆ ମିଶ୍ରଣ କାର୍ଯ୍ୟକୁ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି । ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଯାଂଚ ପ୍ରକ୍ରିୟା ଦ୍ୱାରା ଛତୁଆ ମିଶ୍ରଣ ଅଧିକ ଶୃଙ୍ଖଳିତ ହୋଇଛି । ଛତୁଆର ଗୁଣବତା ବଜାୟ ରଖିବା ସହ ମିଶ୍ରଣ ଓ ବଂଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିଛି । ଏହି ଛତୁଆ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ମୋ ଛତୁଆ ଆପର ବିକାଶ କରାଯାଇଛି । ଛତୁଆ ମିଶ୍ରଣ ପ୍ରକ୍ରିୟାକୁ ଉନ୍ନତ ପର୍ଯ୍ୟାୟକୁ ନେବା ନିମନ୍ତେ ବିଭାଗା ତରଫରୁ ନିରନ୍ତର ପ୍ରଚେଷ୍ଟା ଜାରିରହିଛି ।