ଜୟପୁର– ଆଜିଠୁ ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଲକାନଗିରିରୁ ଆସି ଶନିବାର ଅପରାହ୍ନ ୪ଟାରେ ସେ ଜୟପୁର ଏୟାରପୋର୍ଟରେ ପହଂଚିବେ । ସେଠାରୁ ସଡ଼କ ପଥରେ କୋରାପୁଟ ଗସ୍ତ କରିବେ । କୋରାପୁଟରେ ରାଜ୍ୟ ସ୍ତରୀୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିବେ । କୋରାପୁଟରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ । ରବିବାର ଦିନ ୧୦ଟା ୩୦ ମିନିଟରେ କୋରାପୁଟରୁ ବାହାରି ଜୟପୁର ଫୁଲବାଡରେ ପହଂଚିବେ । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା, ସରକାରୀ କ୍ୱାଟର, ଏୟାରପୋର୍ଟର ନବ ନିର୍ମିତ ଟର୍ମିନାଲ କୋଠା ଲୋକାର୍ପଣ କରିବେ । ୭ ମହଲା ବିଶିଷ୍ଟ ନୂତନ କୋଠା ଲୋକାର୍ପଣ ହେବ । ଆଧୁନିକ ସୁବିଧା ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ, ୯୬ଟି କର୍ମଚାରି କ୍ୱାଟର ଉଦଘାଟନ ହେବ । ପ୍ରଶାସନ ତରଫରୁ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ୩ ଶହ ଶଯ୍ୟା ବିଶିଷ୍ଟ ୭ ମହଲା ନୂତନ କୋଠା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି । ଜୟପୁରରେ ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ପହଂଚିବେ । ୪୫ ମିନିଟ ଏଠାରେ ଉଦଘାଟନ କାର୍ଯ୍ୟକ୍ରମରେ ରହି ଜୟପୁର ଏୟାରପୋର୍ଟ ରେ ପହଂଚି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ଶନିବାର ଜୟପୁର ଏୟାରପୋର୍ଟରୁ କୋରାପୁଟ ଗସ୍ତ ସମୟରେ ଆମ୍ବେଦକର ଛକ ଠାରେ ବିଜେପି ନେତା ଓ କର୍ମିଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲା ପୋଲିସ ତରଫରୁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଗତକାଲି ସଂନ୍ଧ୍ୟାରେ ଜୟପୁର ଏୟାରପୋର୍ଟରେ ଜିଲାପାଳ ଭି. କିର୍ତିଭାସନ, ଏସପି ରୋହିତ ବର୍ମା ପ୍ରସ୍ତୁତି ଉପରେ ସମିକ୍ଷା କରିଥିଲେ ।
Related Stories
December 26, 2024