ପୁରୀ- ଏନଡିଆରଏଫ, ବିମସଟେକ୍ ଓ ଜିଲ୍ଲାପ୍ରଶାସନର ମିଳିତ ଉଦ୍ୟମରେ ଗୁରୁବାର ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ଏହି ମିନି ମାରାଥନକୁ କ୍ରୀଡ଼ା ଓ ଯୁବ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଥିଲେ । ତାଳବଣିଆସ୍ଥିତ ଇନଡୋର ଷ୍ଟାଡିୟମଠାରୁ ମିନି ମାରାଥନ ବାହାରି ବଳିଆପଣ୍ଡାଠାରେ ପହଂଚି ଥିଲା । ଦୀର୍ଘ ୮କିଲୋମିଟର ପର୍ଯ୍ୟନ୍ତ ଏହି ମିନି ମାରାଥନରେ ପୁରୁଷ ଓ ମହିଳା ବିଭାଗରେ ପ୍ରାୟ ୩ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ଏଭଳି ପ୍ରତିଯୋଗିତା ଯୁବଗୋଷ୍ଠୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହେବା ସହ ପ୍ରତ୍ୟେକ ବର୍ଷ ୨୩ ତାରିଖରେ କରିବା ପାଇଁ ଜିଲ୍ଲାପାଳ ବଲବନ୍ତ ସିଂ କହିଥିଲେ । ଏଭଳି ପ୍ରତିଯୋଗିତା ଅନୁଷ୍ଠିତ ହେଲେ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଏନଡିଆରଏଫ୍ ଡିଆଇଜି ମହସିନ ସାହିଦ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ କହିଥିଲେ ଯେ, ଦୁର୍ବିପାକ ପରିଚାଳନା ଉପରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ।
ପ୍ରତିଯୋଗିତାରେ ଭାଗ ନେଇଥିବା ମହିଳା ବିଭାଗରେ ପ୍ରଥମ ହୋଇଥିବା ସୌରସଦ ଆଦରା ବେଗମଙ୍କୁ ୩୦ହଜାର ଟଙ୍କା, ଦ୍ୱିତୀୟସ୍ଥାନ ଅଧିକାର କରିଥିବା ସନ୍ଧ୍ୟା ମୁର୍ମୁଙ୍କୁ ୨୦ ହଜାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍ମାଇଲ ସାଇନା ମହାନ୍ତିଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ପୁରୁଷ ବିଭାଗରେ ମୁକୁନ୍ଦ ବେଉରା ପ୍ରଥମଙ୍କୁ ୩୦ ହଜାର ଟଙ୍କା, ରଶ୍ମିରଞ୍ଜନ ନାୟକ ଦ୍ୱିତୀୟ ୨୦ ହଜାର ଟଙ୍କା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସୁଧାଂଶୁ ନାୟକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିଲା । ମହିଳା ବିଭାଗର ଅନ୍ୟ ୭ଜଣଙ୍କୁ ମାନପତ୍ର ସହ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଏସପି ଡା. ଉମାଶଙ୍କର ଦାଶ, ଡିଆରଡିଏର ପ୍ରକଳ୍ପ ନିଦ୍ଦେର୍ଶକ ବିଶାଲ ସିଂ, ପୌରାଧିକାରୀ ବିଜୟ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଅତିରିକ୍ତ ପୌରାଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ । ଏନଡିଆରଏଫ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ସରକାରୀ ବେସରକାରୀ କର୍ମଚାରୀମାନେ ମଧ୍ୟ ଯୋଗଦାନ କରିଥିଲେ ।