ମହାକୁମ୍ଭନଗର– ଉତର ପ୍ରଦେଶରେ ମହାକୁମ୍ଭ-2025ର ସଫଳ ଆୟୋଜନ, ବୈଶ୍ୱିକ କଲ୍ୟାଣ, ବିଶ୍ୱ ଶାନ୍ତି, ଭାରତର ଅରୁଣୋଦୟ ଏବଂ ତୀର୍ଥରାଜ ପ୍ରୟାଗରାଜ ଆସି ପୁଣ୍ୟ ବୁଡ ପକାଉଥିବା କୋଟି କୋଟି ଭକ୍ତ, ସନାତନ ଶକ୍ତିର ସାମର୍ଥ୍ୟ ଏବଂ ଅକ୍ଷୟ ପୁଣ୍ୟର ବୃଦ୍ଧି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅକ୍ଷୟବଟର ପୂଜାର୍ଚ୍ଚନା କରିଛନ୍ତି । ସଙ୍ଗମରେ ଯଜମାନ ଭୂମିକାରେ ସଙ୍ଗମର ଅଭିଷେକ କରାଇବା ପରେ ସେ ଅକ୍ଷୟ ବଟର ଦର୍ଶନ କରିଛନ୍ତି ।
ଅକ୍ଷୟ ବଟରେ ବି ମହାକୁମ୍ଭ-2025ର ସଫଳ ଆୟୋଜନ ପାଇଁ ଯଜମାନ ଭୂମିକାରେ ପ୍ରଧାନମନ୍ତ୍ରୀ ମୋଦି ଅକ୍ଷୟ ବଟରେ ସଂକଳ୍ପ କରି ଅଭିଷେକ କରିଛନ୍ତି ଏବଂ ସମସ୍ତ ତୀର୍ଥର ଆବହନ କରି ସଫଳ ମଙ୍ଗଳକାମନାର ପୂର୍ତ୍ତି ପାଇଁ ଆସ୍ଥା ଦୀପ ଜଳାଇଛନ୍ତି । ଏହାପରେ ଅକ୍ଷୟ ବଟର ପ୍ରଦକ୍ଷିଣ କରିଛନ୍ତି ଏବଂ ସମସ୍ତ ବିଶ୍ୱର ମଙ୍ଗଳ କାମନା କରିଛନ୍ତି । ଏହାପରେ ମୋଦି କରିଡରକୁ ନେଇ ହୋଇଥିବା କାର୍ଯ୍ୟ ବୁଲି ଦେଖିଥିଲେ । ବିଶେଷ କରି ମହାକୁମ୍ଭ ଅବସରରେ ଏଠାକୁ ଦର୍ଶନ କରିବାକୁ ଆସିବାକୁ ଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନକୁ ନେଇ ହୋଇଥିବା ଉଦ୍ୟମର ସଂପର୍କରେ ବୁଝିଥିଲେ ଏବଂ ସମସ୍ତ ପ୍ରକ୍ରିୟାର ତଦାରଖ କରିଥିଲେ ।