ପୁରୀ- ମାର ମାର ଭଣ୍ଡାରିଆକୁ ମାର ନୀତିରେ ସେସୁ ଓ ଫେଡକୋ ମିଳିତଭାବେ ଗରିବ ବିଦ୍ୟୁତ୍ ଗ୍ରାହକମାନଙ୍କର ସଂଯୋଗ କାଟିବାକୁ ନେଇ ସହରରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଏପରିକି ପ୍ରାୟ ଅଢେଇ କୋଟି ଟଙ୍କା ପୌରସଂସ୍ଥା ଉପରେ ବିଦ୍ୟୁତ୍ ଦେୟ ବାକି ପଡିଥିବାବେଳେ ତାହା ଅନାଦେୟ ହୋଇ ରହିଛି । ଅନ୍ୟପକ୍ଷରେ ସାହି ସାହି ବୁଲି ସେସୁ ଓ ଫେଡକୋର କର୍ମଚାରୀମାନେ ଯାଂଚ୍ ଆଳରେ ହିତାଧିକାରୀମାନଙ୍କର ବିଦ୍ୟୁତ୍ ସଂଯୋଗ କାଟିବାରେ ଲାଗିଛନ୍ତି ।
ଫନି ବାତ୍ୟାପରେ ବିଦ୍ୟୁତ୍ ଗ୍ରାହକମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେତେବେଳେ ଦୁଇମାସ ଧରି ବିଦ୍ୟୁତ୍ ଜଳିନଥିଲେ ମଧ୍ୟ ବିଭାଗ ବିଲ୍ କାଟି ନେଉଛି । ବଡ ଭାକୁର ଛାଡି କେରାଣ୍ଡି ମାରିବା ନ୍ୟାୟରେ ବିଦ୍ୟୁତ୍ ବିଭାଗ କାମ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ସହର ତଳି ଅଂଚଳରେ ବସବାସ କରୁଥିବା ଗ୍ରାହକମାନଙ୍କର ବିଦ୍ୟୁତ୍ ସଂଯୋଗ କାଟୁଥିବା ଦେଖିବାକୁ ମିଳୁଛି । ଏପରିକି ପୁରୀର ପୁରୁଣା ସାହିଭାବେ ୫ ସାହିରେ ବିଭାଗ ପଶିପାରୁନାହିଁ । ପୌରସଂସ୍ଥାର ଷ୍ଟ୍ରିଟଲାଇଟ୍ ଦିନରାତି ଜଳି କୋଟି କୋଟି ଟଙ୍କାର ବିଲ୍ ବକେୟା ରହୁଛି । ପୌରସଂସ୍ଥା ବ୍ୟବହାର କରୁଥିବା ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ ନକରି ସାଧାରଣ ଜନତାଙ୍କ ବିଦ୍ୟୁତ୍ କାଟିବା କେତେଦୂର ନ୍ୟାୟ ସଂଗତ ତାକୁ ନେଇ ବଡଦାଣ୍ଡରେ ଚର୍ଚ୍ଚା ଜୋର ଧରିଛି । ମିଟର ଖରାପ, ହାଇସ ଲକ୍, କମ୍ପ୍ୟୁଟର ଭୁଲ୍, ବାକିଆ ପାଉଣା ଅନାଦେୟ, ମିଟର ଟ୍ୟାପରିଂ, ପୂର୍ବରୁ କମ୍ ବିଦ୍ୟୁତ୍ ଖର୍ଚ୍ଚ ତଥ୍ୟ ଦେଇ ବର୍ତମାନ ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରିବା ଅଭିଯୋଗ ଆଦି ବିଭିନ୍ନ ଆଳ ଦେଖାଇ ବିଦ୍ୟୁତ୍ କର୍ମଚାରୀମାନେ ଜୋରଜବରଦସ୍ତ ଖୁଂଟରୁ ବିଦ୍ୟୁତ୍ ବିଚ୍ଛିନ୍ନ କରୁଛନ୍ତି । ସଙ୍ଗେ ସଙ୍ଗେ ଟଙ୍କା ଦିଅ ନଚେତ୍ ଖୁଂଟିରୁ ତାର କାଟିଲୁ କହି ବିଦ୍ୟୁତ୍ କାଟି ଦେଉଛନ୍ତି । ଯାହାକି ଜନମଙ୍ଗଳ ରାଜ୍ୟରେ ଅନ୍ୟାୟ ହେଉଛି ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି । ବଡବଡିଆଙ୍କୁ ମାଫ୍ ଓ ଗରିବଙ୍କ କାଟ ନୀତି ବିରୁଦ୍ଧରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେଉଥିବା ଗ୍ରାହକମାନେ ଏବେ ମେଳି ବାନ୍ଧିଲେଣି । ରାଜ୍ୟ ସରକାର ତାଙ୍କ ଅଂଶଧନକୁ ଟାଟାକୁ ଲିଜ୍ ଦେବା ପରେ ଏବେ ସେସୁ ଓ ଟାଟା ଗୋଟିଏ ଖୁଂଟରେ ଦୁଇଟି ବଳଦ ବନ୍ଧା ହେବା ପରି କାମ କରିବେ । ଏଥିରେ ସାଧାରଣ ଗ୍ରାହକ ଅତିଷ୍ଠ ହେବେ । ବଡବଡିଆ ଅନୁଷ୍ଠାନକୁ ଅନୁକମ୍ପା ଦେଖାଇ ଗରିବ ହିତାଧିକାରୀଙ୍କ ବିଦ୍ୟୁତ୍ ସଂଯୋଗ କଟାଯାଉଥିବାକୁ ନେଇ ବିଭିନ୍ନ ଶ୍ରମିକ ସଂଗଠନ ମେଳି ବାନ୍ଧିଲେଣି ।