ଭୁବନେଶ୍ୱର– ନବରଙ୍ଗପୁରରେ ଆୟୋଜିତ ମଣ୍ଡେଇ-୨୦୨୪ରେ ଗତକାଲି ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଏହି ସାମାଜିକ ଏବଂ ସାଂସ୍କୃତିକ ପର୍ବରେ ଯୋଗଦେବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ।
ନବରଙ୍ଗପୁର ମାଟି ହେଉଛି ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନର ପୀଠ। ପାପଡାହାଣ୍ଡି ଗୁଳିକାଣ୍ଡ ହେଉଛି ଓଡ଼ିଶା ଇତିହାସର ଏକ ରକ୍ତାକ୍ତ ପୃଷ୍ଠା। ଅଗଷ୍ଟ ବିପ୍ଲବର ଅନ୍ତରାଳରେ ଏହି ମାଟିରେ ଅନେକ ବିପ୍ଳବୀ ଦେଇ ପାଇଁ ଶହୀଦ ହୋଇଥିଲେ। ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି।
ଏହି ମଣ୍ଡେଇ ଉତ୍ସବ ନବରଙ୍ଗପୁର ଜିଲ୍ଲା ପାଇଁ ଏକ ସାମାଜିକ ବନ୍ଧୁ ମିଳନ, ଭାବର ଆଦାନ ପ୍ରଦାନ ଏବଂ ମାନବୀୟ ସଂସ୍କୃତିର ଏକ ଲୋକ ମହୋତ୍ସବ। ଏହି ଅଞ୍ଚଳର କଳା, ସଂସ୍କୃତି ଏବଂ ପରମ୍ପରାକୁ ଲୋକଲୋଚନକୁ ଆଣିବାରେ ମଣ୍ଡେଇ ଉତ୍ସବ ଏକ ମାଧ୍ୟମ। ଏହାକୁ ଆହୁରି ସମୃଦ୍ଧ କରିବା ପାଇଁ ଆମ ସରକାର ପ୍ରାଥମିକତା ଦେବେ। ନବରଙ୍ଗପୁର ଜିଲ୍ଲାର ଐତିହ୍ୟ, ଲୋକ ସଂସ୍କୃତି, ପ୍ରାକୃତିକ ଶୋଭାରାଜି, ଲୋକକଳା, ହସ୍ତଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଆମ ସରକାର ଗୁରୁତ୍ଵ ଦେଉଛନ୍ତି। ଏହାର ଉନ୍ନତିକରଣ ସହ ସମୃଦ୍ଧ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ଏବଂ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏଥିପାଇଁ ଆମ ସରକାର ‘ଉତ୍କର୍ଷ ଓଡ଼ିଶା’ ସମ୍ମିଳନୀର ଆୟୋଜନ କରିବାକୁ ଯାଉଛନ୍ତି। ଯାହାକି ରାଜ୍ଯକୁ ଶିଳ୍ପ ସମୃଦ୍ଧ କରିବାରେ ବିଶେଷ ସହାୟକ ହେବ। ନବରଙ୍ଗପୁର ଜିଲ୍ଲା ରାଜ୍ୟର ବିକାଶରେ କିଭଳି ଭାବରେ ଆଗ ଧାଡିରେ ସ୍ଥାନ ପାଇବ ସେଥିପାଇଁ ଲୋକଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।