ବଲାଙ୍ଗିର- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରୀ ରହିଛି । ଆଇନଜିବୀ ମାନେ ଆନ୍ଦୋଳନରେ ସାମିଲ୍ ହେଉଥିବାରୁ କୋର୍ଟ କାର୍ଯ୍ୟ ବ୍ୟାହତ ହେଉଛି । ପଶ୍ଚିମ ଓଡ଼ିଶାର ଆଇନଜିବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରି ବାର୍ କାଉନସିଲ୍ ଅଫ ଇଣ୍ଡିଆ(ବିସିଆଇ)କୁ ଚିଠି ଲେଖିଛି ରାଜ୍ୟ ଓକିଲ ସଂଘ । ଆନ୍ଦୋଳନରତ ଆଇନଜିବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚିଠି ଲେଖିଛି ରାଜ୍ୟ ଓକିଲ ସଂଘ । ତାଲିକାରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନାମ ଉଲ୍ଲେଖ ରହିଛି । ରାଜ୍ୟ ଓକିଲ ସଂଘର ଏହି ଚିଠି ପରେ ଏକଜୁଟ୍ ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ । ଏପରିକି ରାଜ୍ୟ ଓକିଲ ସଂଘର ନିଷ୍ପତିକୁ ବିରୋଧ କରାଯାଇଛି ।
ଏହାର ପ୍ରତିବାଦରେ ଆଜି ବଲାଙ୍ଗିରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଓକିଲ ସଂଘର ପ୍ରସ୍ତାବକୁ ବିରୋଧ କରାଯାଇଛି । ଫେବୃଆରୀ ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ରଖିବାକୁ ବୈଠକରେ ନିଷ୍ପତି ହୋଇଛି । ଏପରିକି ପଶ୍ଚିମ ଓଡ଼ିଶାର ସମସ୍ତ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ଓ ସରକାରୀ ଅଫିସ୍ ବନ୍ଦ ରଖିବା ନେଇ ବୈଠକରେ ସ୍ଥିର ହୋଇଛି ।
ଏନେଇ ଅଧିକ ସୂଚନା ଦେଇ ସମ୍ବଲପୁର ଓକିଲ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି ଯେ, ବିଭାଜନ ନୀତି ଚଳିବ ନାହିଁ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଡିଭାଇଡ୍ ଆଣ୍ଡ ରୁଲ୍ ନୀତି ଛାଡ଼ନ୍ତୁ । ସରକାର ନିଷ୍ପତି ନିଅନ୍ତୁ ପଶ୍ଚିମ ଓଡ଼ିଶାରେ କେଉଁଠି ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ହେବ । ଯଦି କୌଣସି ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ଏ ଦିଗରେ କଠୋର ନିଷ୍ପତି ନିଆଯିବ । ଜଣକର ଲାଇସେନ୍ସ ବାତିଲ୍ ହେଲେ ସମୂହ ଲାଇସେନ୍ସ ସରେଣ୍ଡର୍ କରାଯିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ