-
ବରଗଡ଼ର ସୋହେଲାରେ ମୁଖ୍ୟ ସମାବେଶ, ସବୁ ଜ଼ିଲ୍ଲାରେ ପ୍ରସ୍ତୁତି ଶେଷ
ଭୁବନେଶ୍ୱର,କଥା ଦେଇ କଥା ରଖିଲେ ସରକାର । କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଧାନ ଉପରେ କ୍ୱିଣ୍ଟାଲ ପିଛା ମୂଲ୍ୟରେ ଅତିରିକ୍ତ ଇନ୍ପୁଟ ସହାୟତା ସରକାର ଆସନ୍ତାକାଲି ପ୍ରଦାନ କରିବେ । ଓଡ଼ିଆ ଅସ୍ମିତାକୁ ପାଥେୟ କରି ରାଜ୍ୟରେ ଗଠିତ ସରକାର ଚାଷୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରଥମ ଦିନରୁ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଫ୍ଏକ୍ୟୁ ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଏବଂ ଅତିରିକ୍ତ ଇନ୍ପୁଟ ସହାୟତା ୮୦୦ ଟଙ୍କା ସହ ମୋଟ ୩୧୦୦ ଟଙ୍କା ପ୍ରଦାନ କରାଯିବ । ଏହା ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ କରିବା ସହ କୃଷି କ୍ଷେତ୍ରରେ ସେମାନଙ୍କ କର୍ମକୁଶଳତା ବୃଦ୍ଧି କରିବ । ଏଥି ନିମନ୍ତେ ବରଗଡ଼ ଜିଲ୍ଲାର ସୋହେଲାଠାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଇନ୍ପୁଟ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆସନ୍ତକାଲି ଏହାର ଶୁଭାରମ୍ଭ କରାଯିବ । ଏଥି ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ପ୍ରସ୍ତୁତି ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଚାଷୀଭାଇ ଓ ଭଉଣୀ ଯୋଗଦେବେ । ଉକ୍ତ ସମାବେଶରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ରହିବେ ।
ଏଥିସହ ବିଭିନ୍ନ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯିବା ସହ ବିଭିନ୍ନ ଜିଲ୍ଲାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହି ଚାଷୀଭାଇ ଓ ଭଉଣୀମାନଙ୍କ ମନୋବଳ ବୃଦ୍ଧି କରିବେ । ଏହି ମର୍ମରେ ପୁରୀରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଉଥିବାବେଳେ ସମ୍ବଲପୁରରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଖୋର୍ଦ୍ଧାରେ ପୂର୍ତ୍ତ, ଅଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗଞ୍ଜାମରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, କଳାହାଣ୍ଡିରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କୋରାପୁଟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଲେଶ୍ୱରରେ ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, କନ୍ଧମାଳରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଭଦ୍ରକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଉଥିବାବେଳେ ଅନ୍ୟ ଜିଲ୍ଲାରେ ସଂପୃକ୍ତ ସାଂସଦ ଓ ବିଧାୟକମାନେ ଯୋଗଦେବେ ।
ବର୍ତ୍ତମାନ ସରକାର ଖରିଫ୍ ଋତୁରେ ଚାଷୀମାନଙ୍କଠାରୁ ସ୍ୱଚ୍ଛତା ପ୍ରକ୍ରିୟା ଅବଲମ୍ବନ କରି ଧାନ କିଣୁଥିବାବେଳେ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟତା ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ଭାବେ ପ୍ରଦାନ କରାଯାଉଛି । ଧାନକିଣା ପୂର୍ବରୁ ପଞ୍ଜୀକୃତ ଚାଷୀମାନଙ୍କୁ ଟୋକନ ପ୍ରଦାନ କରାଯିବା ସହ ଚାଷୀମାନଙ୍କ ନିମନ୍ତେ ପ୍ରତ୍ୟେକ ମଣ୍ଡିରେ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଯାଉଛି । ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଫିସର ନିଯୁକ୍ତ କରାଯାଇ ଧାନକିଣା ପ୍ରକ୍ରିୟା ଉପରେ ବ୍ୟାପକ ନଜର ରଖାଯାଇଛି । କୌଣସି ଅଭିଯୋଗ ଥିଲେ ଚାଷୀମାନେ ପ୍ରତ୍ୟକ୍ଷ ଭାବେ ୧୯୬୭କୁ ଯୋଗାଯୋଗ କରି ସେମାନଙ୍କ ସମସ୍ୟା ଜଣାଇପାରିବେ । ସେମାନଙ୍କ ସମସ୍ୟା ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି ।
ସେହିଭଳି ବାହାର ରାଜ୍ୟର ଧାନଗାଡ଼ି ଯେଭଳି ଓଡ଼ିଶା ମଧ୍ୟକୁ ନଆସେ ଏଥି ନିମନ୍ତେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଟାସ୍କଫୋର୍ସ ଗଠନ କରାଯାଇ କଡ଼ାନଜର ରଖାଯାଉଛି ।