-
ଯକ୍ଷ୍ମାର ସମ୍ପୂର୍ଣ୍ଣ ନିରାକରଣ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ
-
ବ୍ୟାପକ ଅଗ୍ରଗତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧ : ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ
ଭୁବନେଶ୍ୱର, ୨୦୨୫ ସୁଦ୍ଧା ଦେଶ ତଥା ରାଜ୍ୟରେ ଯକ୍ଷ୍ମା ନିରାକରଣ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପରିସରରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ‘୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୧୯ଟି ଯକ୍ଷ୍ମାପ୍ରବଣ ଜିଲ୍ଲାରେ ଯକ୍ଷ୍ମା ରୋଗକୁ ମୂଳପୋଛ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଛି ।
ଯକ୍ଷ୍ମା ଭଳି ମାରାତ୍ମକ ରୋଗର ନିରାକରଣ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ଅଗ୍ରଗତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧ । ୨୦୨୫ ଶେଷ ସୁଦ୍ଧା ଦେଶରୁ ଯକ୍ଷ୍ମା ନିରାକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେହି ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକ ହେଲା ୨୦୧୫ ବେସ୍ଲାଇନ୍ ତୁଳନାରେ ଯକ୍ଷ୍ମା ରୋଗକୁ ୮୦ ପ୍ରତିଶତ ହ୍ରାସ କରିବା ଏବଂ ଯକ୍ଷ୍ମା ମୃତୁ୍ୟହାରକୁ ୯୦ ପ୍ରତିଶତ ହ୍ରାସ କରିବା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟ ଅତିଥି ଡ. ମହାଲିଙ୍ଗ ଓ ଅନ୍ୟ ଅତିଥିମାନେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ସଂପର୍କିତ ବିଭିନ୍ନ ପ୍ରଚାର ପତି୍ରକା ଉନ୍ମୋଚନ କରିବା ସହ ‘ଯକ୍ଷ୍ମା ମୁକ୍ତ ଓଡ଼ିଶା ଏବଂ ଯକ୍ଷ୍ମାମୁକ୍ତ ଭାରତ’ ଗଢ଼ିବା ପାଇଁ ଜନସାଧାରଣ ଓ ଦାତବ୍ୟ ଅନୁଷ୍ଠାନମାନଙ୍କ ଅକୁଣ୍ଠ ସହଯୋଗ କାମନା କରିଥିଲେ । ଏହା ସହ ଯେଉଁ ସହୃଦୟ ବ୍ୟକ୍ତିବିଶେଷ ଓ ସଂଗଠନ ଯକ୍ଷ୍ମାରୋଗୀମାନଙ୍କୁ ସାହାଯ୍ୟ କରନ୍ତି, ସେମାନଙ୍କୁ ସେ ସାଧୁବାଦ ଜଣାଇଛନ୍ତି ।
ଦୂରଦୂରାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଯକ୍ଷ୍ମାରୋଗୀ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ ।
ଏହି ୧୦୦ ଦିନିଆ ଆକଫିଭ୍ କେସ୍ ଫାଇଣ୍ଡିଂ ଅଭିଯାନ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରିବା, ତୁରନ୍ତ ସେମାନଙ୍କର ଡାଇଗ୍ନୋଷ୍ଟିକ୍ କରାଇବା ଓ ଚିକିତ୍ସା ଫଳାଫଳକୁ ଉନ୍ନତ କରିବା ଉପରେ କେନ୍ଦ୍ରୀଭୂତ । ଏହି ଅଭିଯାନ ରାଜ୍ୟର ୧୯ଟି ଜିଲ୍ଲା ଯଥା-ବଲାଙ୍ଗିର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ କରାଯାଇଛି ।
ଆଶାକର୍ମୀମାନେ ଯକ୍ଷ୍ମା ନିରାକରଣରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ଯକ୍ଷ୍ମା ରେଫରାଲ ପାଇଁ ୧୦୦ ଟଙ୍କା ଏବଂ ଯକ୍ଷ୍ମାରୋଗୀ ଚିହ୍ନଟ ହେଲେ ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଆଶାକର୍ମୀମାନଙ୍କୁ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି । ସେହିପରି ଯକ୍ଷ୍ମାରୋଗୀଙ୍କୁ ୧ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଉପଯୁକ୍ତ ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ପ୍ରଦାନ କରାଯାଉଛି ।
ଯକ୍ଷ୍ମା ନିରାକରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ଟିବି ଚମ୍ପିଆନ୍ ଶ୍ରୀ ଅର୍ଜୁନ ଚରଣ ନାଥ ଏବଂ ଶ୍ରୀମତୀ ସସ୍ମିତା ପାତ୍ରଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡ. ବିଜୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଡ. ବୃନ୍ଦା ଡି. ରାଜ୍ୟର ଯକ୍ଷ୍ମାରୋଗର ସାଂପ୍ରତିକ ସ୍ଥିତି, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନୀଳକଣ୍ଠ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଭିଯାନର ସହଯୋଗୀ ସଂସ୍ଥା, ଟିବି ଚମ୍ପିଅନ୍ ଓ ଅନ୍ୟମାନେ ଯୋଗଦେଇଥିଲେ ।