ଭୁବନେଶ୍ୱର, ଶୁକ୍ରବାର ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ପୂର୍ବବର୍ତୀ ସରକାରରେ ଏଏସଓ ଚାକିରୀ ବିକ୍ରୀ ହୋଇଥିବା ସମ୍ପର୍କିତ ବକ୍ତବ୍ୟ ପ୍ରତିବାଦରେ ଆଜି ବିଜୁ ଜନତା ଦଳର ବିଧାୟକ ମାନେ ପ୍ରବଳ ବିରୋଧ କରିଛନ୍ତି । ଏହି କାରଣରୁ ଆଜି ବିଧାନସଭାରେ ପ୍ରଥମାର୍ଧରେ ଗୃହ କାର୍ଯ୍ୟ ସ୍ୱାଭବିକ ହୋଇ ପାରି ନାହିଁ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ବିଜେଡି ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ଏହି କାରଣରୁ ଗୃହ ବାରମ୍ବାର ସ୍ଥଗିତ ହୋଇଥିଲା ।
ଆଜି ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ସକାଳ 10.30 ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେ ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତର ଦେବାକୁ ପୂର୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଡାକିଥିଲେ । ତଦନୁଯାୟୀ ଶ୍ରୀ ହରିଚନ୍ଦନ ପ୍ରଶ୍ନର ଉତର ଦେବା ଆରମ୍ଭ କରିଥିଲେ । ତେବେ ଆରମ୍ଭରୁ ହିଁ ବିଜେଡି ବିଧାୟକ ମାନେ ଗତ କାଲି ମୁଖ୍ୟମନ୍ତ୍ରୀ ଦେଇଥିବା ବକ୍ତବ୍ୟକୁ ବିରୋଧ କରି ନାରାବାଜୀ କରିଥିଲେ । ବିଜେଡି ବିଧାୟକ ମାନେ ଏହି ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ଆରମ୍ଭ କରି ଦେଇଥିଲେ । ବାଚସ୍ପତି ଶ୍ରୀମତୀ ପାଢୀ ବିଜେଡି ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବାକୁ ବାରମ୍ବାର ନିବେଦନ କରିଥିବା ଦେଖିବାକୁ ମିଳିଥିଲା । ହେଲେ ହଟ୍ଟଗୋଳ କରୁଥିବା ବିଜେଡି ବିଧାୟକ ମାନଙ୍କ ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳି ନ ଥିଲା ଓ ସେମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲିକ କହିଥିଲେ ଯେ ଏଏସଓ ଚାକିରୀ କିଏ ଓ କେଉଁଠି ବିକ୍ରୀ କରିଥିଲେ ସେ ସମ୍ପର୍କରେ ବିବୃତି ଦିଅନ୍ତୁ । ହଟ୍ଟଗୋଳ ନ କମିବାରୁ ବାଚସ୍ପତି ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
11.30ରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶୂନ୍ୟକାଳ ରେ ବି ସମାନ ସ୍ଥିତି ଦେଖା ଯାଇଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଗୃହରେ ବିବୃତି ରଖି କହିଥିଲେ ମୁଖ୍ୟମନ୍ତ୍ରୀ ଗତକାଲି ଯେଉଁ କଥା କହିଛନ୍ତି ତାର ପ୍ରମାଣ ଦିଅନ୍ତୁ ।
ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ବିଲ ଆଲୋଚନା ବେଳେ ଉତ୍ତରରେ କହିଲେ. ଚାକିରୀ ହାଟ ବଜାରରେ ଚାକିରୀ ମିଳୁଥିଲା. 20 ଲକ୍ଷ 30 ଲକ୍ଷ ଦେଲେ ଚାକିରୀ ମିଳୁଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ପରିଶ୍ରମ କରି ଯୋଗ୍ୟ ପିଲା ଚାକିରୀ ପାଇଛନ୍ତି ତାଙ୍କ ପ୍ରତି ଘୋର ଅପମାନ. ଯେଉଁମାନେ ପ୍ରସ୍ତୁତି କରୁଛନ୍ତି ତାଙ୍କ ମନୋବଳ ଭାଙ୍ଗୁଛି । ଯଦି ପ୍ରମାଣ ଅଛି 6 ମାସ ହେଲା କାହିଁକି ବସିଛନ୍ତି ବୋଲି ସେ କହିଥିଲେ । ସେ କହିଥିଲେ ଯେ, ତାଙ୍କ ପାଖରେ ସିବିଆଇ ଇଡି ଅଛି. ତଦନ୍ତ ନକରି ଚୁପ କାହିଁ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଶସ୍ତା ବିବୃତି ରଖନ୍ତୁନି । ତେଣୁ ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତିକୁ ବାଦ ଦିଆଯାଉ । ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ କେଉଁ ସଂସ୍ଥା ଲଗେଇକି ସେ ତଦନ୍ତ କରି ଏହି ତଥ୍ୟ ପାଇଲେ । ସେ ମୁଖ୍ୟମନ୍ତ୍ରୀଙ୍କ ଗତକାଲି ବିବୃତି କୁ ଗୃହ ବିବରଣୀ ରୁ ବାଦ ଦେବା ଲାଗି ବାଚସ୍ପତି ଙ୍କ ରୁଲିଂ ଦାବି କରଥିଲେ । ଏହା ପରେ ବିଜେଡି ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ହଟ୍ଟଗୋଳ କରିଥିଲେ । ଏହି କାରଣରୁ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।