ସମ୍ବଲପୁର– ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ତାଙ୍କ ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ, ଡିଅର ପାର୍କ ନିକଟରେ ଥିବା ତାଙ୍କ ସରକାରୀ କ୍ୱାର୍ଟର ସମେତ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଗତକାଲି ବିଳମ୍ବିତ ରାତି ଯାଏ ତାଙ୍କୁ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ଅଫିସରେ ପଚରାଉଚରା କରାଯାଇଥିଲା । ଏଥିସହ ତାଙ୍କ ଘରୁ ମିଳିଥିବା କାଗଜପତ୍ର ଗୁଡ଼ିକ ଯାଂଚ୍ କରାଯାଇଥିଲା । ଆଜି ସକାଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଗତକାଲି ଏସିଏଫ ରେବତୀ ରମଣ ଯୋଶୀଙ୍କ ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ, ଡିଅର ପାର୍କ ନିକଟରେ ଥିବା ତାଙ୍କ ସରକାରୀ କ୍ୱାର୍ଟର ଏବଂ ଅଇଁଠାପାଲି ସ୍ଥିତ ତିନି ମହଲା ଘର, ଚର୍ଚ୍ଚ ଛକ ନିକଟ ବ୍ରିଜ ଧାମ ହାଉସିଂ ସୋସାଇଟି କହ୍ନେୟା ବ୍ଲକରେ ଥିବା ଫ୍ଲାଟ ନଂ ଜି-୫ ଏବଂ ଫ୍ଲାଟ ନଂ ଜି-୬, ସମ୍ବଲପୁର ଫାର୍ମ ରୋଡ଼ରେ ସିଟି ପ୍ରାଇଡ ଆପାର୍ଟମେଂଟ ବିଲ୍ଡିଂ ଫ୍ଲାଟ ନଂ ଏ- ୪୦୬, ସମ୍ବଲପୁର-ଝାରସୁଗୁଡ଼ା ରୋଡ଼ର ମଳିପାଲ୍ଲୀ ଠାରେ ଥିବା ତାଙ୍କର ଏକ ସିଙ୍ଗଲ ଷ୍ଟୋରେଡ କମର୍ସିଆଲ ବିଲ୍ଡିଂ, ବରଗଡ଼ ଜିଲ୍ଲାର ପଦ୍ମପୁରରେ ଥିବା କୋଠା, ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ବଲଣ୍ଡା ଗ୍ରାମରେ ଥିବା ପୈତୃକ ବାସଭବନରେ ଏକକାଳୀନ ଚଢ଼ଉ କରିବା ସହ ସେସବୁ ସ୍ଥାନରେ ଯାଂଚ୍ କରିଥିଲା ଭିଜିଲାନ୍ସ ଟିମ୍ ।
ଚଢ଼ଉ ବେଳେ ତାଙ୍କ ସରକାରୀ କ୍ୱାର୍ଟରରୁ ନଗଦ ୧୪ ଲକ୍ଷ ୭୧ ହଜାର ୨୦୦ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ସମ୍ବଲପୁର ଟାଉନରୁ ଏକ ୩ ମହଲା ଘର ସମେତ ୩ଟି କୋଠା ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱରରେ ଗୋଟିଏ, ସମ୍ବଲପୁର ଟାଉନରୁ ୩ଟି ଫ୍ଲାଟ୍ ମଧ୍ୟ ମିଳିଥିଲା । ଏଥିସହ ସମ୍ବଲପୁର ଓ ବରଗଡ଼ରେ ୭ଟି ପ୍ଲଟ ଥିବା ଜଣାପଡ଼ିଛି । ତାଙ୍କ ଘରୁ ୧୫୦ ଗ୍ରାମ୍ ସୁନା ଓ ୩୦୦ ଗ୍ରାମ୍ ରୂପା ଅଳଙ୍କାର ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ଠୁଳ କରିଥିବା ସମ୍ପତି ବାବଦରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଥିଲେ । ହେଲେ ସେ ଏ ବିଷୟରେ ସେ କୌଣସି ସନ୍ତୋଷଜନକ ଉତର ଦେଇ ପାରି ନଥିଲେ । ଫଳରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି ।
Related Stories
December 23, 2024