ଭୁବନେଶ୍ୱର, ପୋଲାଭରମ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ବିଧାନସଭାରେ ଅଗ୍ରାହ୍ୟ ହେବାକୁ ନେଇ ଆଜି ବିରୋଧୀ ଦଳର ବିଧାୟକ ମାନେ ହଟ୍ଟଗୋଳ କରିବା କାରଣରୁ ଆଜି ବିଧାନସଭାରେ ପ୍ରଥମାର୍ଧର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପ୍ରଶ୍ନକାଳ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇ ପାରି ନାହିଁ ।
ଆଜି ନିର୍ଧାରିତ ସମୟ ଅନୁସାରେ 10.30 ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଶ୍ନର ଉତର ପଢିବା ଆରମ୍ଭ କରିଥିଲେ । ହେଲେ କଂଗ୍ରେସ ବିଧାୟକ ମାନେ ପୋଲାଭରମ ପ୍ରସଙ୍ଗକୁ ନେଇ ନାରାବାଜୀ କରିବା ସହ ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ପୋଲାଭରମ ପ୍ରସଙ୍ଗରେ ମୁଲତବୀ ଗ୍ରହଣ ନ ହେବାରୁ କଂଗ୍ରେସ ପକ୍ଷରୁ ଡବଲ ଇଞ୍ଜିନ ସରକାର ହାଏ ହାଏ, ଡବଲ ଇଞ୍ଜିନ ସରକାର ଧିକ ଧିକ ନାରା ଦେଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ । ଗୃହକୁ ସ୍ଵାଭାବିକ କରିବାକୁ ନିଜ ଆସନରୁ ଠିଆ ହୋଇ କହିଥିଲେ ବିରୋଧୀ ଦଳ ମୂଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାଚସ୍ପତି ଶ୍ରୀମତୀ ସୂରମା ପାଢୀ କଂଗ୍ରେସ ବିଧାୟକ ମାନଙ୍କୁ ହଟ୍ଟଗୋଳ ନ କରି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ନିବେଦନ କରିଥିଲେ । ହେଲେ ତାଙ୍କର ନିବେଦନର କୌଣସି ପ୍ରଭାବ କଂଗ୍ରେସ ବିଧାୟକ ମାନଙ୍କ ଉପରେ ପଡି ନ ଥିଲା ଓ ସେମାନେ ହଟ୍ଟଗୋଳ ଜାରି ରଖିଥିଲେ । ଏହି କାରଣରୁ ବାଚସ୍ପତି ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏହି କାରଣରୁ ଆଜି ପ୍ରଶ୍ନକାଳ କାର୍ଯକ୍ରମ ସମ୍ପନ୍ନ ହୋଇ ପାରି ନ ଥିଲା ।
11.30ରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ମାନେ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିବା ପୁଣି ଥରେ ଆରମ୍ଭ କରିଥିଲେ । ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଥିଲେ ଯେ ଏହି ମାମଲା ବିଚାରାଧୀନ ଥିବାରୁ ଏ ସମ୍ପର୍କରେ ଗୃହରେ ଆଲୋଚନା କରାଯାଇ ପାରିବ ନାହିଁ। ଏହା ପରେ ବିରୋଧୀ ବିଧାୟକ ମାନେ ପୁଣି ଥରେ ହଟ୍ଟଗୋଳ କରିବା ଆରମ୍ଭ କରି ଦେଇଥିଲେ । ଏହି କାରଣରୁ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।