ମାଲକାନଗିରି– ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ପିଏଲଜିଏ ସପ୍ତାହକୁ ନେଇ ଓଡିଶାର ମାଓ ପ୍ରବଣ ଅଞ୍ଚଳରେ ସେଭଳି କିଛି ବ୍ୟାନର ପୋଷ୍ଟର ଦେଖିବାକୁ ମିଳିନାହିଁ । ତେବେ ସୀମା ଆରପଟୁ ମାଓ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିବୃତି ସୁରକ୍ଷା କର୍ମୀଙ୍କ ଚିନ୍ତା ବଢାଇଛି । କାରଣ ଓଡିଶା -ଛତିଶଗଡ ସୀମା ଏକ ପ୍ରକାର ମୁକୁଳା ପଡିଥିବାରୁ ଆଗକୁ ଓଡିଶା ପ୍ରତି ବିପଦ ବଢିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପଡୋଶୀ ଛତିଶଗଡ ଦକ୍ଷିଣ ସବ ଜୋନାଲ ବ୍ୟୁରୋ ପକ୍ଷରୁ ଜାରି ହୋଇଛି ପ୍ରେସ ବିବୃତି । ଆଉ ଏହି ବିବୃତି ସୁରକ୍ଷା କର୍ମୀଙ୍କ ଚିନ୍ତା ବଢାଇ ଦେଇଛି । ଏଥିରେ ୨୪ତମ ପିଏଲଜିଏ ସପ୍ତାହକୁ ମାଓ ସଙ୍ଗଠନ ପାଳନ କରିବାକୁ ଆହ୍ୱାନ ଦେଇଥିବା ବେଳେ ଛତିଶଗଡରେ ଜାରି ଅପରେଶନ କଗାର କୁ ବିରୋଧ କରାଯାଇଛି । ଡିସେମ୍ୱର ୨ରୁ ୮ ଯାଏଁ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ ସଙ୍ଗଠନ । ପିପୁଲ୍ସ ଲିବେରେଶନ୍ ଗରିଲା ଆର୍ମୀକୁ ମଜବୁତ କରିବା ଲାଗି ହିଂସାକାଣ୍ଡ ଜରିଆରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରଥିଲେ ମାଓବାଦୀ । ଏବେ ଓଡିଶାରେ ମାଓ ସମସ୍ୟା ପ୍ରାୟତଃ ଏହାକୁ ନେଇ ସେଭଳି କିଛି ହଲଚଲ ନାହିଁ । କିନ୍ତୁ, ଛତିଶଗଡ ନକ୍ସଲ ସଙ୍ଗଠନର ପ୍ରେସ ବିବୃତି ସୁରକ୍ଷା କର୍ମୀଙ୍କ ନିଦ ହଜାଇ ଦେଇଛି।
ମାଲକାନଗିରିର ଭୌଗଳିକ ସ୍ଥିତିକୁ ଦେଖିଲେ ଛତିଶଗଡ, ଆନ୍ଧ୍ର ଓ ତେଲେଙ୍ଗାନାକୁ ଲାଗି ରହିଛି ମାଲକାନଗିରି ସୀମା । କେବଳ ଛତିଶଗଡ ସୀମାର ଲମ୍ବ ଶହେ କିଲୋମିଟରରୁ ଅଧିକ । ତେବେ ମାଲକାନଗିରି ଜିଲ୍ଲାରେ ମାଓ ଗତିବିଧି କମୁଥିବା ଦର୍ଶାଇ ନିକଟରେ ଗୋଟିଏ ବାଟାଲିୟନ ବିଏସଏଫ ଯବାନ ପ୍ରତ୍ୟାହାର କରାଯାଇଛି । ଏମଭି ୭୯, ଏମଭି ୮୨ ଓ ଏମଭି ୮୮ ବିଏସଏଫ କ୍ୟାମ୍ପ ପ୍ରତ୍ୟାହାର ପରେ ଏବେ ସାବେରୀ ନଇ ପାର ହୋଇ ପଡିଆ ଓ ମୋଟୁ ସୀମା ଦେଇ ମାଓବାଦୀ ମାନେ ଓଡିଶା ଅନୁପ୍ରବେଶ କରୁଥିବା ଗତ ନଭେମ୍ବର ୨୧ ଜିନେଲଗୁଡା ଏନକାଉଣ୍ଟର ଘଟଣାରୁ ସ୍ପଷ୍ଟ ହୋଇଛି ।
ସେପଟେ ସାବେରି ନଇ ଆରପଟେ ଛତିଶଗଡରେ କୋଣ୍ଟା ଠାରୁ ଆରମ୍ଭ କରି ଦରଭା ଯାଏଁ ୧୦ରୁ ଅଧିକ ସିଆରପିଏଫ କ୍ୟାମ୍ପ ରହିଛି । ସୂଚନା ଅନୁସାରେ, ଓଡିଶାର କୋହଳ ବ୍ୟବସ୍ଥା ଯୋଗୁ ଗଜରାଲା ରବି ଓରଫ ଉଦୟ ପରି ଟପ୍ ମାଓ ନେତା ଦଳ ବଳ ନେଇ ଏବେ ଓଡିଶା ମୁହାଁ ହୋଇଛନ୍ତି ।