
ଭୁବନେଶ୍ୱର– ଜିଲ୍ଲା ଭିତିକ ନିଯୁକ୍ତି ଦାବି କରି ଅବିଭାଜ୍ୟ କୋରାପୁଟ ଜିଲ୍ଲାରେ ଚାଲିଥିବା ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ । ସେ କହିଛନ୍ତି ଯେ ସରକାର ଏହାକୁ ନେଇ ଶୀଘ୍ର ପଦକ୍ଷେପ ନିଅନ୍ତୁ ନ ହେଲେ ଆଗାମୀ ଦିନରେ ଗାଁ ଗାଁରେ ଆନ୍ଦୋଳନ ହେବ।
ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ କାଡାମ କହିଥିଲେ ଯେ ଗତ ଦୁଇ ମାସ ଧରି ଅବିଭାଜ୍ୟ କୋରାପୁଟ ଜିଲ୍ଲାରେ ଯୁବକ ମାନେ ଜିଲ୍ଲା ଭିତିକ ନିଯୁକ୍ତି ଦାବି କରି ଆନ୍ଦୋଳନ କରୁଛନ୍ତି । ଚାରୋଟି ଜିଲ୍ଲାରେ ଏହି ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନ କେବଳ ଯେ କୋରାପୁଟ ଜିଲ୍ଲାରେ ହେଉଛି ତା ନୁହେଁ ବରଂ ସମସ୍ତ ରାଜ୍ୟରେ ଏହି ଆନ୍ଦୋଳନକୁ ସମର୍ଥନ ରହିଛି । ଏହାକୁ ନେଇ ଅବିଭାଜ୍ୟ କୋରାପୁଟ ଜିଲ୍ଲା ଅଶାନ୍ତ ହୋଇଛି । ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଗାଁ ଗାଁକୁ ବ୍ୟାପିବ । ପୂର୍ବରୁ ଜିଲ୍ଲାଭିତିକ ନିଯୁକ୍ତି ହେଉଥିଲା । ମାତ୍ର ରାଜ୍ୟ ସରକାରଙ୍କ ଭୁଲ କାରଣରୁ ଏହା ହେଉ ନାହିଁ । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏ ଦିଗରେ ସରକାରଙ୍କୁ ନିର୍ଦେଶ ଦେବାକୁ ସେ ବାଚସ୍ପତିଙ୍କ ନିକଟରେ ଅନୁରୋଧ କରିଥିଲେ ।