-
ଗତବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ପ୍ରତିଶତ ଅଧିକ ଚାଷୀ ଅଂଶଗ୍ରହଣ ଓ ୮ ପ୍ରତିଶତ ଅଧିକ ଧାନ ସଂଗ୍ରହ
ଭୁବନେଶ୍ୱର-ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଧାନ ସଂଗ୍ରହରେ ପୂର୍ବପେକ୍ଷା ସ୍ୱଚ୍ଛତା ଗ୍ରହଣ କରାଯିବା ସହ ଚାଷୀମାନଙ୍କୁ ଅଧିକ ସହାୟତା ପ୍ରଦାନ ପାଇଁ ସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । କୌଣସି ଯୋଗ୍ୟ ଚାଷୀ ଧାନକିଣା ପ୍ରକ୍ରିୟାରୁ ବାଦ ନପଡ଼ନ୍ତି ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ୨୦ ତାରିଖରୁ ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବରଗଡ଼, ନୂଆପଡା ଓ ସମ୍ବଲପୁର ଜିଲ୍ଲାରେ ସରକାରୀ ସ୍ତରରେ ଧାନ କିଣା ଯାରି ରହିଛି । ଧାନ ସଂଗ୍ରହ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନଙ୍କୁ ନିଯୁକ୍ତି କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ପ୍ୟାକ୍ସ, ଲ୍ୟାମ୍ପସ, ମହିଳା ଏସଏଚଜି ମାନଙ୍କୁ ସାମିଲ କରାଯାଉଛି । ଧାନ ସଂଗ୍ରହରେ କୌଣସି ମଧ୍ୟସ୍ଥିକୁ ପ୍ରଶୟ ନଦେବାକୁ ସରକାରୀ ସ୍ତରରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, ଗତ ବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା ଏହି ତିନି ଜିଲ୍ଲାରେ ପ୍ରାୟ ୩୦ ପ୍ରତିଶତ ଅଧିକ ଚାଷୀ ଧାନ କିଣାରେ ଭାଗ ନେଉଥିବାବେଳେ ପାଖାପାଖି ୮ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି । ଏଥିସହ ଚାଷୀ ମାନଙ୍କ ଆକାଉଣ୍ଟକୁ ପ୍ରତ୍ୟେକ୍ଷଭାବେ ସର୍ବ ନିମ୍ନ ସହାୟତା ରାଶି ପ୍ରଦାନ କରାଯାଉଛି । ଏଥିରେ ଅଧିକରୁ ଅଧିକ ଚାଷୀ ମାନଙ୍କୁ ସାମିଲ କରିବା ପାଇଁ ଆଗୁଆ ଟୋକାନ ପ୍ରଦାନ କରାଯାଉଛି । ଏଥିନିମନ୍ତେ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ।