-
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ମହକ” ର ଉଦଯାପନ ଉତ୍ସବ ପାଳିତ
-
ପିଲାଙ୍କ ସହ ଝୁମିଲେ ଅନୁ ଚୌଧୁରୀ, ଭୂମିକା ଦାସ ଓ ଶୁଭାଶିଷ ନାଥ ଶର୍ମା
-
ବିଭିନ୍ନ ବର୍ଗରେ ଶିଶୁ ଯତ୍ନ ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ବିଜେତାକୁ ପୁରସ୍କାର ବିତରଣ
ଭୁବନେଶ୍ୱର, ଆଜି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ମହକ” ର ଉଦଯାପନ ଉତ୍ସବରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନଙ୍କ ପ୍ରତିଭାଙ୍କୁ ସମ୍ମାନ ଜଣାଇ ଆମେ ସେମାନଙ୍କ ମନୋବଳ ବଢେଇବା ସହ ସେମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଦେଇପାରିବା ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଦୃଢ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଏହି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପିଲାମାନଙ୍କୁ ପ୍ରେରଣା ଯୋଗାଇବ ସହ ସେମାନଙ୍କ ମନରେ ପ୍ରଚୁର ଆତ୍ମବିଶ୍ଵାସ ଜାଗ୍ରତ କରିବ । ପ୍ରତ୍ୟେକ ଶିଶୁଙ୍କ ଭବିଷ୍ୟତକୁ ସକ୍ଷମ କରି ଗଢି ତୋଳିବା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ସେ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉତ୍ସବରେ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀମତୀ ୟାମିନୀ ଷଢଙ୍ଗୀ ଓ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା ବିଭାଗୀୟ ଅତିରିକ୍ତ ସଚିବ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ କି ଏହି ଉତ୍ସବରେ ୩୦ ଜିଲ୍ଲାର ୨୨୫ଟି ଶିଶୁ ଯତ୍ନ ପ୍ରତିଷ୍ଠାନର ପ୍ରାୟତଃ ୫୦୦ ପ୍ରତିଯୋଗୀମାନେ ଏକକ କଣ୍ଠ ସଙ୍ଗୀତ, ଦଳଗତ ନୃତ୍ୟ, ବକ୍ତୃତା, ଚିତ୍ରାଙ୍କନ, ପ୍ରଶ୍ନୋତ୍ତର ଆଦି ବିଭିନ୍ନ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏକକ କଣ୍ଠ ସଙ୍ଗୀତର ପ୍ରତିଯୋଗିତାରେ ବରିଷ୍ଠରେ ରାୟଗଡାର ବିଦୁସ୍ମିତା ଶବର, କୋରାପୁଟର କୁଶଲ୍ୟା ଦେଉରିଆ, ମୟୂରଭଞ୍ଜର ଚନ୍ଦ୍ରମଣି ନାୟକ ଓ କନିଷ୍ଠରେ ମୟୂରଭଞ୍ଜର ସନ୍ତୋଷି ବେହେରା, ଦେଓଗଡର ରଞ୍ଜନ ପୁଷ୍ଟି, ରାୟଗଡାର ଇନ୍ଦୁ ବାତ୍ରା ପୁରସ୍କୃତ ହୋଇଛନ୍ତି । ବକ୍ତୃତା ପ୍ରତିଯୋଗିତାରେ ବରିଷ୍ଠରେ କନ୍ଧମାଳର ବିମଳା ଚହଟିଆ, ଖୋର୍ଦ୍ଧାର ଶିବାନୀ ନାୟକ, ନୟାଗଡ଼ର ସନ୍ଧ୍ୟାରାଣୀ ବରଦା, ଗଞ୍ଜାମରେ ଶାଳିନୀ ସେନାପତି, ସୁନ୍ଦରଗଡର ଶ୍ରଦ୍ଧା ଦାସ କନିଷ୍ଠରେ ବରଗଡ଼ର ଲିପି ଦାସ, ପୁରୀର ଜୋସ୍ନା ଦାସ ଓ ଗଞ୍ଜାମର ସୁଦାମ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଛି । କୁଇଜ ପ୍ରତିଯୋଗିତାରେ ଦେଓଗଡ଼ର ଶକ୍ତି ହେମ୍ବ୍ରମ, କୋରାପୁଟର ସବିତା ଦାସ, କଳାହାଣ୍ଡିର ଧିରାଜ କୁମାର ସିନ୍ଦୁର କନିଷ୍ଠରେ କଟକର ଶକ୍ତି ପ୍ରଜ୍ଞା ପ୍ରଧାନ, ଗଜପତିର ଚମ୍ପତି ଭୂୟାଁ, କଳାହାଣ୍ଡିର ଗୁଲଶନ କୁମାର ପୁରସ୍କୃତ ହୋଇଛନ୍ତି ।
ସେହପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ବରିଷ୍ଠରେ କଳାହାଣ୍ଡିର ବରୁଣ ମହାନନ୍ଦା, କୋରାପୁଟର ପର୍ଶୁରାମ ହଲବା, ପୁରୀର ଆର. ଅଜୟ କନିଷ୍ଠରେ ବାବୁଶାନ ମହନ୍ତ, କଳାହାଣ୍ଡିର ଟିକା ଚନ୍ଦ୍ର ଗୌଡ, ଯାଜପୁରର ରାମ ମୁଣ୍ଡା ପୁରସ୍କୃତ ହୋଇଛନ୍ତି । ଦଳଗତ ନୃତ୍ୟ ପ୍ରତିଯୋଗିତାରେ ବରିଷ୍ଠରେ କନ୍ଧମାଳରେ ବନବାସୀ ସେବା ସମିତି ପୁରୀର ନୀଳାଚଳ ସେବା ପ୍ରତିଷ୍ଠାନ କୋରାପୁଟର ଆସ୍ଥା ଚିଲଡ୍ରେନସ୍ ହୋମ୍, ଖୋର୍ଦ୍ଧାର ଆଦୃତା ଗର୍ଲସ ହୋମ୍, କନ୍ଧମାଳର ବିକାଶ ପରିଷଦ, ସାରଙ୍ଗଗଡ଼ ଓ ପୁରୀର ନୀଳାଚଳ ସେବା ପ୍ରତିଷ୍ଠାନ ପୁରସ୍କୃତ ହୋଇଛନ୍ତି । ଜିଲ୍ଲାସ୍ତରରେ କନ୍ଧମାଳକୁ ଚାମ୍ପିୟନ୍ସ ଟ୍ରଫି ଓ ଖୋର୍ଦ୍ଧାକୁ ରନର୍ସ ଅପ୍ ଟ୍ରଫି ମିଳିଛି । ଶିଶୁ ପ୍ରତିଷ୍ଠାନରୁ ପାଠ ପଢି ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରମାଣିତ କରିପାରିଥିବା ପୁରୀର ଅନୁପମା ଦାସ, ଭୁବନେଶ୍ୱରର ପୁଷ୍ପା ମୁଦୁଲି, ଜଗତସିଂହପୁରର ସରସ୍ଵତୀ ସ୍ଵାଇଁ, ଗଞ୍ଜାମର ପୁଷ୍ପାଞ୍ଜଳି ମହାରଣା ଓ ଢେଙ୍କାନାଳର ସୌମ୍ୟ ରଞ୍ଜନ ବେଜଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଓଡିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଶ୍ରୀମତୀ ଅନୁ ଚୌଧୁରୀ, ଭୂମିକା ଦାସ ଏବଂ ଅଭିନେତା ଶୁଭାଶିଷ ନାଥ ଶର୍ମା ଏହି ଉତ୍ସବରେ ଯୋଗଦେଇ ଶିଶୁମାନଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଥିଲେ । ପରିଶେଷରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରବନ୍ଧକ ଶ୍ରୀ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।