-
ଫ୍ଲାଏ ଆଶ ପରିଚାଳନା ପାଇଁ ଆସିବ ଏସଓପି
ଭୂବନେଶ୍ଵର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀମତୀ ଏବୋଲି ସୁନୀଲ ନରବଣେ, ଓପିଜିସିର ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l
ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ ଲିମିଟେଡ଼ ହେଉଛି ଓଡ଼ିଶାର ବୃହତ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର l ରାଜ୍ୟର ମୋଟ୍ ବିଜୁଳି ଚାହିଦାର ୩୦ ପ୍ରତିଶତ ଓପିଜିସି ପୂରଣ କରେ l ଏକ ବିଶ୍ଵସ୍ତରୀୟ ସ୍ଵଚ୍ଛ, ନିରାପଦ ଏବଂ ନିର୍ଭରଯୋଗ୍ୟ ଶକ୍ତି ଉତ୍ପାଦନ କରିବାରେ ଓପିଜିସି ପ୍ରତିଶୃତିବଦ୍ଧ l ତାପଜ ବିଦ୍ୟୁତ ଉତ୍ପାଦନ ପରେ ବାହାରୁଥିବା ବର୍ଜ୍ୟ ପରିଚାଳନା ଏବଂ ଖଣି ଖନନ ପରେ ସେହି ଖଣିକୁ ଉଡା ପାଉଁଶ (Fly Ash) ଦ୍ଵାରା ପୂରଣ କରି ଖାଲି ଖଣିକୁ ପୋତିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା l
ଫ୍ଲାଏ ଆଶ କୁ ବ୍ୟବହାର କରି ଇଟା ତିଆରି କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ l ସେହି ଇଟାକୁ ପରବର୍ତ୍ତୀ ସମୟରେ ପିଏମ ଆବାସ ଯୋଜନାରେ ତିଆରି ଘରେ ବ୍ୟବହାର କରାଯାଇ ପାରିବ l ସେହିଭଳି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ର ପରାମର୍ଶ ଅନୁଯାୟୀ ବାହାରୁଥିବା ବର୍ଜ୍ୟକୁ କୃଷି କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ l ଓପିଜିସିର କାର୍ଯ୍ୟକରିବାରେ ଥିବା ପ୍ରତିବନ୍ଧକ ଗୁଡ଼ିକ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା l ପରବର୍ତ୍ତୀ ସମୟରେ ସେସବୁ ଉପରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ନିୟମାବଳୀ ଅନୁଯାୟୀ ପଦକ୍ଷେପ ନିଆଯିବ l ଆଗାମୀ ସମୟରେ ଫ୍ଲାଏ ଆଶ କୁ ନେଇ ଏସଓପି (SOP) ଅଣାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ l ଫ୍ଲାଏ ଆଶ ଦ୍ଵାରା ପୂରଣ ହେଉଥିବା ପୋଖରୀ ଏବଂ ସେହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ କରିବାକୁ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ ।
ଏହି କ୍ରମରେ ଖଣି ଖନନ ପରେ ଖାଲି ଥିବା ଖଣିଗୁଡ଼ିକୁ ଚିହ୍ନଟ କରିବା ପରେ ଓପିଜିସିରୁ ବାହାରୁଥିବା ଉଡା ପାଉଁଶଦ୍ଵାରା ପୂରଣ କରିବା ଫଳରେ ବର୍ଜ୍ୟ ପରିଚାଳନା ମଧ୍ୟ ହୋଇପାରିବ ଏବଂ ପ୍ରଦୂଷଣ ମାତ୍ରା ହ୍ରାସ କରାଯାଇପାରିବ l ଉଡା ପାଉଁଶ ପୋଖରୀ (Ash Ponds) ନିମନ୍ତେ ଜାଗା ଯୋଗାଇ ଦେବାକୁ ମଧ୍ୟ ଆଲୋଚନା କରାଯାଇଥିଲା l ପ୍ରଥମେ ସେହି ଅଞ୍ଚଳର ଜନସାଧାରଣଙ୍କ ସହ ଆଲୋଚନା କରି ଜାଗା ଯୋଗାଇ ଦେବାକୁ ଶ୍ରୀ ସୁରେଶ ପୂଜାରୀ ଝାରସୁଗୁଡା ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ l ଓପିଜିସି ପକ୍ଷରୁ ମଧ୍ୟ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ଵ ଦିଆଯାଉଛି l