ଭୁବନେଶ୍ୱର– ଆଜି ଓଡିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଇଛି। ସର୍ବ ପ୍ରଥମେ ଛଅ ଜଣ ଦିବଙ୍ଗତ ବିଧାୟକ ମାନଙ୍କ ପାଇଁ ଶୋକ ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନେ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ତାଙ୍କୁ ବାରମ୍ବାର ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ନିବେଦନ କରିବା ସତ୍ୱେ ଏହାର କୌଣସି ପ୍ରଭାବ ତାଙ୍କ ଉପରେ ପଡି ନ ଥିଲା । ଏହା ଫଳରେ ବାଚସ୍ପତି ଗୃହକୁ 12.25 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏହି କାରଣରୁ ଆଜି ପ୍ରଶ୍ନକାଳର କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।
ଶୋକ ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ପ୍ରଶ୍ନର ଉତର ଦେବାକୁ ଡାକିଥିଲେ । ତଦନୁଯାୟୀ ମନ୍ତ୍ରୀ ଶ୍ରୀ ନାୟକ ମଧ୍ୟ ପ୍ରଶ୍ନର ଉତର ଦେବା ଆରମ୍ଭ କରିଥିଲେ। ହେଲେ ବିଭିନ୍ନ ପ୍ରସଙ୍ଗ ଉପରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଅନାହର ପ୍ରସଙ୍ଗ ନେଇ କଂଗ୍ରେସ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି କରିଥିଲେ।
ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବା ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଏବଂ ଅର୍ଥ ବିଭାଗ ମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ସେପଟେ, ରାଜ୍ୟପାଳଙ୍କ ଅନୁମୋଦିତ ବିଭିନ୍ନ ବିଲ ମଧ୍ୟ ସଭାରେ ଉପସ୍ଥାପନ ହେବ।