ଭୁବନେଶ୍ୱର, ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ବିଧାନସଭାର ଛଅ ଜଣ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇ ଶୋକ ପ୍ରସ୍ତାବ ପାରିତ କରାଯାଇଛି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏମାନେ ହେଲେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେ, ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ, ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ, ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ଏବଂ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ମାଝୀ । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ତଥା ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ଶୋକ ପ୍ରସ୍ତାବକୁ ସମର୍ଥନକରିଥିଲେ । ଏହା ପରେ ସଭ୍ୟ ମାନେ ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରି ଏକ ମିନିଟ ନୀରବ ପ୍ରାର୍ଥନା କରିବା ସହ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା ।