ପୁରୀ- ବୁଧବାର ଶ୍ରୀବିଗ୍ରହମାନଙ୍କ “ବନକ ଲାଗି” ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । “ବନକ ଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଏହାପରେ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ।
ପରମ୍ପରା ଅନୁଯାୟୀ, ଶ୍ରୀଜୀଉଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଭିତରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯିବ । ଗର୍ଭଗୃହ ମଧ୍ୟରେ ଦତ ମହାପାତ୍ର ସେବାୟତ ମାନେ ଶ୍ରୀଜୀଉମାନଙ୍କ ଏହି ଗୁପ୍ତ ନୀତି ସମାପନ କରିବେ । ବନକ ଲାଗି ଶ୍ରୀଜୀଉଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ୱାର ବନ୍ଦ ରହିବ । ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥାଏ ।