ଭୁବନେଶ୍ୱର- ଭୁବନେଶ୍ୱର ତିନୋଟି ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହ ୫ଟି ଆଧାରରେ କାର୍ଯ୍ୟ କରିବାକୁ ଭୁବନେଶ୍ୱର(ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଆହ୍ୱାନ ଦେଇଛନ୍ତି ।
ଆଜି ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟିର ବୈଠକ ସ୍ଥାନୀୟ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ବିଧାୟକ ଶ୍ରୀ ଜେନା କହିଲେ ଯେ, ଲୋକମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା, ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିର ସଫଳ ରୂପାୟନ କରିବା ଓ ରାଜଧାନୀର ବିକାଶକୁ ଶୀର୍ଷରେ ପହଂଚାଇବା ଭୁବନେଶ୍ୱରରେ ଅବସ୍ଥାପିତ ଦକ୍ଷ ଅଧିକାରୀମାନଙ୍କ ଦାୟିତ୍ୱ । ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା, ନାଗରିକମାନଙ୍କ ମୌଳିକ ସେବା, ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ, ଖାଦ୍ୟ ସୁରକ୍ଷା, ସମବାୟ, କୃଷି, ପର୍ଯ୍ୟଟନ, ବୃକ୍ଷରୋପଣ, ଶ୍ରମିକ କଲ୍ୟାଣ, ନିୟୋଜନ ବ୍ୟବସ୍ଥା ଆଦିର ଉତ୍କର୍ଷ ସାଧନ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବା ଜରୁରୀ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ ।
ଭୁବନେଶ୍ୱର(ଉତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ କହିଲେ ଯେ, ଶିଖରଚଣ୍ଡୀକୁ ଏକ ଉନ୍ନତ ପର୍ଯ୍ୟଟନସ୍ଥଳୀ ରୂପେ ଗଢ଼ି ତୋଳିବା, ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗ୍ରାମାଂଚଳର କୃଷି ଉତ୍ପାଦନ, ଫଳଚାଷ, ପନିପରିବା ଚାଷକୁ ଉତ୍କୃଷ୍ଟ ଓ ଆଦର୍ଶ ସ୍ଥାନୀୟ କରିବା, ଜନହିତୈଷୀ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ସବସିଡି ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ଆବଶ୍ୟକ । ଏହି କାର୍ଯ୍ୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ମଧ୍ୟରେ ସୁସମନ୍ୱୟ ରକ୍ଷା କରି ମିଳିତ ପ୍ରଚେଷ୍ଟା ବଳରେ ରାଜଧାନୀକୁ ବିକାଶର ଶ୍ରେଷ୍ଠ କ୍ଷେତ୍ର ରୂପେ ଗଢ଼ିତୋଳିବା ଦରକାର ବୋଲି ବିଧାୟକ ଶ୍ରୀ ରାଉତ ମତପ୍ରକାଶ କରିଥିଲେ ।
ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ବେହେରା ଏହି କମିଟିର ସଭ୍ୟ-ଆବାହକ ରୂପେ ଏଣିକି ନିୟମିତ ଭାବେ ଏହି କମିଟି ବୈଠକ ବସି ରାଜଧାନୀ ବିକାଶକୁ ସଫଳ ଭାବେ ରୂପାୟିତ କରିବା ପାଇଁ ନିର୍ଣ୍ଣାୟକ ଭୂମିକା ନେବ ବୋଲି କହିଥିଲେ । ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ବିଭିନ୍ନ ତଥ୍ୟ ଯୋଗାଇ ଦେଇଥିଲେ ।