ନୂଆଦିଲ୍ଲୀ-ଏସ୍ସାର ଗ୍ରୁପର ସହ ପ୍ରତିଷ୍ଠାତା 81 ବର୍ଷୀୟ ଶଶି ଋଇଆଙ୍କ ଗତକାଲି ବିଳମ୍ବିତ ରାତିରେ ବିୟୋଗ ହୋଇଛି । ଶିଳ୍ପପତି ଋଇଆ ତାଙ୍କ ଭାଇ ରବିଙ୍କ ସହିତ ମିଳିତ ଭାବେ ଏସ୍ସାର ପ୍ରତିଷ୍ଠା କରିଥିଲେ । ଋଇଆଙ୍କ ପରିବାରରେ ତାଙ୍କ ପତ୍ନୀ ମଂଜୁ ଓ ଦୁଇ ପୁଅ ପ୍ରଶାନ୍ତ ତଥା ଅଂଶୁମାନ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ଶିଳ୍ପପତି ଶଶି ଋଇଆଙ୍କ ନଭେମ୍ବର 25 ତାରିଖ ରାତି 11.55 ମିନିଟ ସମୟରେ ବିୟୋଗ ହୋଇଛି । ପ୍ରାୟ ମାସେ ତଳେ ସେ ଆମେରିକାରେ ଚିକିତ୍ସିତ ହୋଇ ଫେରିଥିଲେ ।
ଏକ୍ସପୋଷ୍ଟରେ ପିଏମ ମୋଦି ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ସେ ଶିଳ୍ପ ଜଗତରେ ଜଣେ ମହାନ ବ୍ୟକ୍ତି ଥିଲେ । ଦୂରଦର୍ଶୀ ନେତୃତ୍ୱ ଓ ଉତ୍କୃଷ୍ଟତା ପ୍ରତି ତାଙ୍କ ଅତୁଟ ପ୍ରତିବଦ୍ଧତା ଭାରତର ବାଣିଜ୍ୟ ପରିଦୃଶ୍ୟକୁ ବଦଳାଇ ଦେଇଥିଲ । ତାଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖୀ । ସେ ନୂଆ ଉଦ୍ଭାବନ ଓ ବିକାଶ ପାଇଁ ଉଚ୍ଚ ମାନଦର୍ଡ ସ୍ଥାପନ କରିଛନ୍ତି । ତାଙ୍କ ନିକଟରେ ସବୁବେଳେ ଅନେକ ବିଚାର ହେଉଥିଲା । ସେ ସବୁବେଳେ ଏହା ଉପରେ ଆଲୋଚନା କରୁଥିଲେ ଯେ, ଆମେ ଆମ ଦେଶକୁ କିଭଳି ଭଲ କରିବୁ ।