-
ମହିଳା ମାନଙ୍କୁ ସେମାନଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ବିଷୟରେ ଅବଗତ କରାଇବା ଆଇନ ସଚେତନତା କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ
-
ମହିଳାମାନେ ପରିବାର, ଗୋଷ୍ଠୀ , ସମାଜ ତଥା ରାଜ୍ୟରେ ସୁରକ୍ଷିତ ରହିଲେ ରାଜ୍ୟ ଓ ରାଷ୍ଟ୍ରର ଉନ୍ନତି ଓ ପ୍ରଗତି ତ୍ଵରାନ୍ନିତ ହେବ
ଭୁବନେଶ୍ୱର: ଆଜି ଓଡିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ନିମାପଡା ଇନଣ୍ଡୋର ଷ୍ଟାଡିୟମ୍ ହଲରେ ଆୟୋଜିତ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇଥିଲେ । ମହିଳା ମାନଙ୍କୁ ସେମାନଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ବିଷୟରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ ଥିଲା।
ସମାଜରେ ମହିଳା ମାନଙ୍କ ବିରୋଧରେ ଘଟୁଥିବା ହିଂସା, ମାନସିକ, ଶାରୀରିକ, ଆର୍ଥିକ ଓ ଯୌନ ନିର୍ଯାତନା, କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା, ସାଇବର ଅପରାଧ, ମହିଳାଙ୍କୁ ଡାହାଣୀ ଭାବି ନିର୍ଯାତନା, ଭୃଣ ହତ୍ୟା, ଅନୈତିକ ମହିଳା ଓ ଶିଶୁ ଚାଲାଣ, ଯୌତୁକ ଆଦି ନିର୍ଯାତନା ଓ ଅପରାଧିକ କାର୍ଯ୍ୟ କଳାପରୁ ମହିଳା ମାନେ ନିଜକୁ ସୁରକ୍ଷା ପ୍ରଦାନ କରିବାପାଇଁ ସେମାନେ ନିଜର ସାମ୍ବିଧାନିକ ଅଧିକାର ଓ ବିଭିନ୍ନ ମହିଳା ସୁରକ୍ଷା ସମ୍ପର୍କିତ ସ୍ଵତନ୍ତ୍ର ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଏହି ଶିବିର ଅତ୍ୟନ୍ତ ସହାୟକ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
କୌଣସି ପ୍ରଗତିଶୀଳ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ବିକାଶର ପ୍ରତ୍ୟକ କ୍ଷେତ୍ରରେ ସାମିଲ କରିବା ସହ ସେମାନଙ୍କ ସର୍ବାଙ୍ଗିନ ଉନ୍ନତି ସାଧନ କରିବା । ରାଜ୍ୟର ସର୍ବାଙ୍ଗିନ ବିକାଶ ଦିଗରେ ଉଭୟ ମହିଳା ଓ ପୁରୁଷ ସମଭାବେ ଯୋଗଦାନ କରିବା ଓ ବିକାଶର ସୁଫଳ ଉଭୟଙ୍କୁ ସମଭାବେ ଉପଲବ୍ଧ କରାଇବା ଦିଗରେ ରାଜ୍ୟ ସରକାର କାର୍ଯ୍ୟରତ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ସହାୟତା ଓ ସହଯୋଗରେ ମହିଳା ଆୟୋଗ ମହିଳା ମାନଙ୍କ ସାମ୍ବିଧାନିକ ମୌଳିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା ସହ ସେମାନଙ୍କ ପ୍ରତ୍ୟକ କ୍ଷେତ୍ରରେ ଯୋଗଦାନ ଓ ସଶକ୍ତିକରଣ କରିବା ପାଇଁ ଚେଷ୍ଟିତ ତେଣୁ ରାଜ୍ୟ ମହିଳା ଆୟୋଗ ନିୟମିତ ଭାବେ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଓ ବ୍ଲକ ସ୍ତରରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଓ ଅନ୍ୟାନ୍ୟ ଅଂଶିଦାର ମାନଙ୍କୁ ସଚେତନ କରାଇବା ପାଇଁ ଆୟୋଜନ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ମହିଳାମାନେ ପରିବାର, ଗୋଷ୍ଠୀ , ସମାଜ ତଥା ରାଜ୍ୟରେ ସୁରକ୍ଷିତ ରହିଲେ ରାଜ୍ୟ ଓ ରାଷ୍ଟ୍ରର ଉନ୍ନତି ଓ ପ୍ରଗତି ତ୍ଵରାନ୍ନିତ ହେବ , ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମରେ ମାନ୍ୟବର ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି,ନିମାପଡା ପଂଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ, ପୁରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିମାପଡା ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିମାପଡା ଉପସ୍ଥିତ ଥିଲେ।