ସମ୍ଭଲ, ସମ୍ଭଲ ଜିଲ୍ଲାର ଶାହୀ ଜାମ ମସଜିଦ ସର୍ଭେକୁ ନେଇ ରବିବାର ହୋଇଥିବା ପଥର ମାଡ ଓ ପୋଡାଜଳାକୁ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାରେ ଏବେ ସୁଦ୍ଧା 21ଲୋକଙ୍କୁ ଗିରଫ କରାଯାଇଥିବା ବେଳେ 4ଶହରୁ ଅଧିକ ଲୋକଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଛି । ଇଂଟରନେଟ ସେବା ବନ୍ଦ କରିଦିଆଯାଇଛି । ଏବଂ ସ୍କୁଲ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ । ବାହାର ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ପୋଲିସର ବରିଷ୍ଠ ଅଧିକାରୀ ଅଂଚଳରେ କ୍ୟାମ୍ପ କରିଛନ୍ତି । ଜିଲ୍ଲାର ମାହୋଲକୁ ଦେଖି ଆଖପାଖ ଜିଲ୍ଲାକୁ ବି ଆଲର୍ଟରେ ରଖାଯାଇଛି ।
କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶାହୀ ଜାମା ମସଜିଦର ସର୍ଭେ କରାଯାଉଛି । ରବିବାର ସକାଳେ ଯେତେବେଳେ ଟିମ୍ ପୋଲିସ ସହ ସର୍ଭେ ପାଇଁ ପହଂଚିଥିଲା, ସେତେବେଳେ ଲୋକେ ଏମାନଙ୍କୁ ବିରୋଧ କରି ପଥର ଫିଙ୍ଗିଥିଲେ । କିଛି ଗାଡିରେ ନିଆଁ ଲଗାଇ ଫାୟାରିଂ କରିଥିଲେ । ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିଓ, ଏସଡିଏଙ୍କ ସମେତ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି । ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ବିଗିଡିଥିବା ପରିବେଶକୁ କାବୁ କରିବା ପାଇଁ ଆଖପାଖ ଅଂଚଳରେ ଅତିରିକ୍ତ ପୋଲିସ ବଳ ନିଯୁକ୍ତ କରାଯାଇଥିଲା ଏବଂ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସର ପ୍ରୟୋଗ ଓ ଲାଠିଚାର୍ଜ କରାଯାଇଥିଲା ।