-
ସିଏଏ ଓ ଧାରା-୩୭୦ ଉଚ୍ଛେଦର ପର୍ଯ୍ୟଟନ କ୍ଷେତ୍ର ଉପରେ କୌଣସି ପ୍ରଭାବ ପଡ଼ିନି: ପ୍ରହ୍ଲାଦ ସିଂ ପଟେଲ
ଭୁବନେଶ୍ୱର– ୨୦୧୯ର ଶେଷ ଦୁଇ ମାସରେ ୨୦୧୮ ତୁଳନାରେ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ।
ବୁଧବାର ନୂଆଦିଲ୍ଲୀରେ ପର୍ଯ୍ୟଟକଙ୍କ ସଂଖ୍ୟା ନେଇ ଏକ ସୂଚୀ ଜାରି କରିବା ସମୟରେ ଶ୍ରୀ ପଟେଲ କହିଛନ୍ତି, ରାମମନ୍ଦିର ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟଳୟର ନିର୍ଣ୍ଣୟ, ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ କରିବା ଏବଂ ଜମ୍ମୁକାଶ୍ମୀରରେ ଧାରା-୩୭୦ର ଉଚ୍ଛେଦ ଆଦି ଘଟଣା ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ପ୍ରଭାବ ପକାଇ ପାରିନାହିଁ । ପର୍ଯ୍ୟଟନ ମନ୍ତ୍ରଣାଳୟର ଡାଟା ଅନୁଯାୟୀ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ନଭେମ୍ବର ୨୦୧୮ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୦,୧୨,୫୬୯ ଥିବା ବେଳେ, ନଭେମ୍ବର ୨୦୧୯ରେ ଏହା ୭.୮ ପ୍ରତିଶତ ବୃଦ୍ଧି ପାଇ ୧୦,୯୧,୯୪୬ ହୋଇଛି । ସେହିପରି ଡିସେମ୍ବର ୨୦୧୮ରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୧,୯୧,୪୯୮ ଥିବାବେଳେ, ଡିସେମ୍ବର ୨୦୧୯ରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୨,୨୫,୬୭୨ ହୋଇଛି ।
ଏଥିସହିତ ପର୍ଯ୍ୟଟନ କ୍ଷେତ୍ରରୁ ବୈଦେଶିକ ମୁଦ୍ରା ଆୟ ମଧ୍ୟ ବୃଦ୍ଧି ପାଇଛି । ନଭେମ୍ବର ୨୦୧୮ରେ ଆୟ ୧୬,୫୮୪ କୋଟି ଥିବାବେଳେ, ନଭେମ୍ବର ୨୦୧୯ରେ ୧୯,୮୩୧ କୋଟି ହୋଇଛି । ଡିସେମ୍ବର ୨୦୧୮ରେ ଆୟ ୧୯,୪୭୪ କୋଟି ଥିବାବେଳେ, ଡିସେମ୍ବର ୨୦୧୯ରେ ଏହା ୨୨,୬୧୭ କୋଟି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପଟେଲ ସୂଚନା ଦେଇଛନ୍ତି ।