ପୁରୀ– ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ପଇତାଲାଗି ଶ୍ରୀଜୀଉଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ଲାଗି ୪ ଘଂଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ସଂନ୍ଧ୍ୟା ୫ଟା ଠାରୁ ରାତି ୯ଟା ଯାଏଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ ।
ଦ୍ୱିତୀୟ ଭୋଗମଣ୍ଡପ ପରେ ଦଇତାପତି ସେବକ ମାନେ ଗର୍ଭ ଗୃହକୁ ପ୍ରବେଶ କରି ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରିବେ । ପ୍ରତିଦିନ ମହାପ୍ରଭୁଙ୍କୁ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମେନ୍ତ ଏହି ପଇତା ଲାଗି କରାଯାଇଥାଏ । ତିନୋଟି ରଙ୍ଗର ବାସୁଙ୍ଗା ପାଟରେ ଏହି ପଇତା ଲାଗି ହୋଇଥାଏ । ପାଟରା ସେବକମାନେ ବାସୁଙ୍ଗା ପାଟନେଇ ମହାଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳି ସେବକଙ୍କୁ ଯୋଗାଇଥାନ୍ତି । ପଇତାଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ମହାସ୍ନାନ ପରେ ସାଧାରଣ ଦର୍ଶନ ଅନୁଷ୍ଠିତ ହେବ ।