ଭୁବନେଶ୍ୱର– ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି, ଗଣତି ମଣତି । ରତ୍ନଭଣ୍ଡାର ମରାମତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦିନେ ଦୁଇ ଦିନରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ସ୍ପଷ୍ଟ ହୋଇଛି । ଧାତବ ଦ୍ରବ୍ୟ ଥିବା ପରିକଳ୍ପନା ଥିଲା କିନ୍ତୁ ସେମିତି କିଛି ବି ନାହିଁ । ମରାମତି କାମ ସରିଲେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ଭିତରକୁ ଯିବ । ଏହା ପରେ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି ହେବ ।
ଉଲ୍ଲେଖନୀୟ ଯେ. ଶନିବାର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଆବଶ୍ୟକ ମରାମତି ସଂରକ୍ଷଣ ପୂର୍ବରୁ କାନ୍ଥ, ଛାତ, ଚଟାଣ ଆଦିର ହୋଇଥିବା ବୈଷୟିକ ଯାଞ୍ଚ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିଲା । ୪୫ ପୃଷ୍ଠାର ଏହି ରିପୋର୍ଟ ହସ୍ତଗତ ପରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ମରାମତି ଦିଗରେ ତତ୍ପରତା ଦେଖାଇ ଏଏସ୍ଆଇକୁ ଚିଠି ଲେଖିଥିଲେ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ , ଏଏସ୍ଆଇ ଦ୍ବାରା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯେଉଁ ଜିପିଆର୍ ସର୍ଭେ ହୋଇଥିଲା, ତାର ବୈଷୟିକ ରିପୋର୍ଟ ଇ ମେଲ୍ ଜରିଆରେ ଶନିବାର ଅପରାହ୍ନରେ ହସ୍ତଗତ ହୋଇଛି। ଶ୍ରୀମନ୍ଦିର ସୁରକ୍ଷାକୁ ସଦାସର୍ବଦା ଗୁରୁତ୍ବ ଦିଆଯାଇଆସୁଛି। ବୈଷୟିକ ରିପୋର୍ଟ ଆଧାରରେ ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ ଏଏସ୍ଆଇକୁ ଚିଠି ଲେଖି ଅନୁରୋଧ କରାଯାଇଛି। ବୈଷୟିକରିପୋର୍ଟ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ଆଲୋଚନା କରାଯିବ। ଏଏସ୍ଆଇ କଣ ସବୁ କାମ କରିବ, ତାର ତାଲିକା ମଧ୍ୟ ମଗାଯିବ ଯାହାଫଳରେ ମହାପ୍ରଭୁଙ୍କ ନୀତିକାନ୍ତି ସହ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ ମଧ୍ୟ ହେବ ବୋଲି ସେ କହିଥିଲେ ।