ନୂଆଦିଲ୍ଲୀ-ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ଶୀତକାଳୀନ ଅଧିବେଶନର ଦିନକ ପୂର୍ବରୁ ଆଜି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ବସିଛି । ଏହି ଅବସରରେ ବିରୋଧୀ କିଛି ଦାବି ଓ ପରାମର୍ଶ ସରକାରଙ୍କ ସମ୍ମୁଖରେ ରଖିଥିଲେ । ଅନ୍ୟପଟେ ସରକାରଙ୍କ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ଯେ, ରାଜ୍ୟସଭାର ସଭାପତି, ଲୋକସଭାର ଅଧ୍ୟକ୍ଷ ଓ କାର୍ଯ୍ୟମନ୍ତ୍ରଣା କମିଟି ସମ୍ମୁଖରେ ଏହାକୁ ରଖାଯିବ ଏବଂ ଏହା ଉପରେ ଉଚିତ ନିଷ୍ପତି ନିଆଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଆୟୋଜିତ ସର୍ବଦଳୀୟ ବୈଠକରେ 30ଟି ରାଜନୈତିକ ଦଳର 42ଜଣ ନେତା ସାମିଲ ହୋଇଥିଲେ । ସର୍ବଦଳୀୟ ବୈଠକ ପରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଛି ଏବଂ ସରକାର ବିରୋଧୀଙ୍କ ଦାବି ଓ ପରାମର୍ଶକୁ ଧ୍ୟାନପୂର୍ବକ ଶୁଣିଛନ୍ତି । ସରକାର ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ, ଆମେ କେବଳ ଏତିକି ଚାହୁଁଛୁ ଯେ, ଗୃହ ସୂଚାରୂ ରୂପେ ଚାଲୁ । ବୈଠକରେ ଅଦାନୀ ଗ୍ରୁପ ସହିତ ଜଡିତ ମାମଲା, ମଣିପୁରରେ ଗତ ଦେଢବର୍ଷରୁ ଜାରି ହିଂସା ଓ ୱାକଫ ସଂଶୋଧନ ବିଲର ବି ପ୍ରସଙ୍ଗ ବିରୋଧୀଙ୍କ ପକ୍ଷରୁ ଉଠାଯାଇଛି ।