-
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଆଜି ଦ୍ଵିତୀୟ ଦିନ କାର୍ଯ୍ୟକ୍ରମର ଶୀର୍ଷକ ରହିଥିଲା ଡକ୍ଟର ମହତାବ : ଏକ ତତ୍ତ୍ୱ
-
କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହେଲା ମହତାବଙ୍କ ଜୀବନୀ ଉପରେ ଆଧାରିତ ଏକ ପ୍ରାମାଣିକ ଚିତ୍ର
-
ଉତ୍କଳ କେଶରୀ ଥିଲେ ସ୍ୱାଧୀନତା ସଂଗ୍ରାମୀ, ଗଡ଼ଜାତ ମିଶ୍ରଣର ମୁଖ୍ୟ ପୁରୋଧା, କୁଶଳ ରାଷ୍ଟ୍ରନୀତିଜ୍ଞ, ଓଡ଼ିଆ ସାହିତ୍ୟ ଜଗତର ଏକ ଉଜ୍ବଳ ତାରକା : ମୁଖ୍ୟ ଅତିଥି ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ
ଭୁବନେଶ୍ୱର, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ଏକାଧାରରେ ଥିଲେ ଜଣେ କୁଶଳ ରାଜନୀତିଜ୍ଞ, ପ୍ରଖ୍ୟାତ ଐତିହାସିକ, ସାହିତ୍ୟିକ, ରାଜନୀତି ଜଗତର ଭୀଷ୍ମ ପିତାମହ ଏବଂ ଓଡ଼ିଆ ଜାତିର ସ୍ପନ୍ଦନ। ଉତ୍କଳ କେଶରୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଲକ୍ଷ୍ୟରେ ଆଜି ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବର ଦ୍ଵିତୀୟ ଦିନର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି।
ଆଜିର କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଭାରତୀୟ ଜନତା ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସମୀର ମହାନ୍ତି, ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ୍ ପ୍ରଫେସର ଡକ୍ଟର ନିହାର ରଞ୍ଜନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମସ୍ତ ଅତିଥିମାନେ ଉତ୍କଳ କେଶରୀ ଡ଼ଃ ମହତାବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟଅତିଥି ଶ୍ରୀ ହରିଚନ୍ଦନ ନିଜର ଅଭିଭାଷଣରେ କହିଥିଲେ ଯେ, ଉତ୍କଳ କେଶରୀ ଡ଼ଃ ମହତାବ ଥିଲେ ଜଣେ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ଗଡ଼ଜାତ ମିଶ୍ରଣର ଅନ୍ୟତମ ମୁଖ୍ୟ ପୁରୋଧା, ରାଷ୍ଟ୍ରନୀତିଜ୍ଞ ଏବଂ ଓଡ଼ିଆ ସାହିତ୍ୟ ଜଗତର ଏକ ଉଜ୍ବଳ ତାରକା । ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢି ତୋଳିବାରେ ମହତାବ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତାଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୋଇ ଏକ ସଶକ୍ତ ଓ ସମୃଦ୍ଧ ଓଡିଶା ନିର୍ମାଣରେ ନିଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବା ପାଇଁ ସେ ଆହ୍ୱାନ କରିଥିଲେ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ନିଜର ଅଭିଭାଷଣରେ କହିଥିଲେ ଯେ, ଆଜିର ଯୁଗ ହେଉଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯୁଗ ଏବଂ ୨୭ ରୁ ୨୯ ବର୍ଷର ହାରାହାରି ବୟସ ସହ ଭାରତ ଏକ ଯୁବକମାନଙ୍କର ଦେଶ ରୂପେ ସମଗ୍ର ବିଶ୍ୱରେ ଉଭା ହୋଇଛି। ଏଭଳି ଏକ ବହୁଳ ମୋବାଇଲ ବ୍ୟବହାର କରାଯାଉଥିବା ସମୟରେ ଡ଼ଃ ମହତାବଙ୍କ ପରି ମହାପୁରୁଷଙ୍କ କୃତି ଓ କୀର୍ତ୍ତିକୁ ଯୁବପିଢ଼ି ଓ ବିଦ୍ୟାର୍ଥୀ ନିକଟରେ ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସହଯୋଗରେ ପହଞ୍ଚାଇପାରିଲେ ଯୁବପିଢ଼ି ଯଥୋରିତ ପ୍ରେରଣା ପାଇବେ ଏବଂ ପ୍ରଜ୍ଞାଦୀପ୍ତ ହେବେ ଯାହାଦ୍ୱାରା ଦେଶ ତଥା ରାଜ୍ୟର ସମୁଚିତ ବିକାଶ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ ।
ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ନାଏକ ନିଜର ଅଭିଭାଷଣରେ କହିଥିଲେ ଯେ, ଓଡ଼ିଆ ଜାତି ଡ଼ଃ ମହତାବଙ୍କୁ ଜଣେ ବ୍ୟକ୍ତି ଭାବରେ ନୁହଁ ବରଂ ଏକ ତତ୍ତ୍ୱ ଭାବରେ ଗ୍ରହଣ କରି ତାଙ୍କର ସ୍ମୃତିଚାରଣ କରୁଛି। ରାଷ୍ଟ୍ର କଲ୍ୟାଣ ପାଇଁ ସେ ନିଜର ସମସ୍ତ ଶକ୍ତି, ସାମର୍ଥ୍ୟ ଓ ସୃଜନକୁ ସମର୍ପିତ କରିଥିଲେ। ତେଣୁ ତାଙ୍କୁ ଜଣେ ବ୍ୟକ୍ତିବିଶେଷ ନୁହେଁ ବରଂ ସ୍ୱୟଂସମ୍ପୂର୍ଣ୍ଣ ଅନୁଷ୍ଠାନ ବୋଲି କୁହାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ବରିଷ୍ଠ ରାଜନେତା ଶ୍ରୀ ମହାନ୍ତି ଓ ବିଶିଷ୍ଟ ଐତିହାସିକ ପ୍ରଫେସର ପଟ୍ଟନାୟକ ମହତାବଙ୍କ ଅମ୍ଲାନ କୀର୍ତ୍ତି ଓ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିବା ସହ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା ଓ ଗଡ଼ଜାତ ରାଜ୍ୟର ମିଶ୍ରଣରେ ମହତାବଙ୍କ ଭୂମିକା ତଥା ତାଙ୍କର ସାରସ୍ୱତ ସମ୍ଭାର ସମ୍ପର୍କରେ ଆଲୋକପାତ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ତରଫରୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ “ମହତାବ : ଦ ନେସନ ବିଲଡର” ଓ “ଅଭିବାଦନ ଓ ଅଭିନନ୍ଦନ” ଶୀର୍ଷକ ଦୁଇଟି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।