
-
ଖାଉଟି ହନ୍ତସନ୍ତ, ବେପାରୀ ମାଲେମାଲ
ବାରିପଦା – ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ଼ ୩ରୁ ୪ ଶହ ଫୁଟ ଦୂରରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଥିବା ସହକାରୀ ନିୟନ୍ତ୍ରକ ଓ ବରିଷ୍ଠ ନିରୀକ୍ଷକ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟ । ପ୍ରାୟତଃ ଏହି କାର୍ଯ୍ୟାଳୟଟିର ମୁଖ୍ୟ ଫାଟକରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଥାଏ । କାରଣ ଜାଣିବା ନିମନ୍ତେ ବରିଷ୍ଠ ନିରୀକ୍ଷକ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟର ବରିଷ୍ଠ ନିରୀକ୍ଷକ ରାଜକିଶୋର ମଲ୍ଲିକଙ୍କୁ ତାଙ୍କର ସେଲ ନମ୍ବର ୯୪୩୮୬୭୪୪୧୯ରେ ଯୋଗାଯୋଗ କରିବାରୁ କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ି ହୋଇଥିବାର ସୂଚନା ମିଳିଥିଲା । ଫୋନରେ ବରିଷ୍ଠ ନିରୀକ୍ଷକଙ୍କ ଶ୍ରୀମଲ୍ଲିକ ଦେଇଥିବା ସୂଚନା ଆଧାରରେ କାର୍ଯ୍ୟାଳୟରେ ସହକାରୀ ନିୟନ୍ତ୍ରକ, କିରାଣୀ, ପିଅନ, ବରିଷ୍ଠ ଇନ୍ସପେକ୍ଟର, ମ୍ୟାନୁଆଲ ଆସିଷ୍ଟାଂଟ, ଚୌକିଦାର ପଦବୀ ରହିଥିବାବେଳେ କେବଳ ଜଣେ ବରିଷ୍ଠ ଇନ୍ସପେକ୍ଟରକୁ ନେଇ ଚାଲିଛି କାର୍ଯ୍ୟାଳୟ । ସହକାରୀ ନିୟନ୍ତ୍ରକ ଅବସର ଗ୍ରହଣ କରିବା ପରେ ବାଲେଶ୍ୱର କାର୍ଯ୍ୟାଳୟର ସହକାରୀ ନିୟନ୍ତ୍ରକ ପ୍ରଦୀପ କୁମାର ମହାପାତ୍ର ବାରିପଦା କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ବରିଷ୍ଠ ନିରୀକ୍ଷକ ଶ୍ରୀମଲ୍ଲିକ ଯେତେବେଳେ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ସେହି ସମୟରେ କାର୍ଯ୍ୟାଳୟରେ ତାଲା ଝୁଲୁଛି ବୋଲି ଜଣାପଡ଼ିଥିଲା । ସରକାରଙ୍କ ପକ୍ଷରୁ ଜିଲ୍ଲାର ଟାର୍ଗେଟ ପ୍ରାୟ ୪୫ ଲକ୍ଷ ପାଖାପାଖି ରହିଥିବା ବେଳେ ବାରିପଦା ପାଇଁ ଟାର୍ଗେଟ ୨୧ ଲକ୍ଷ ରହିଛି । କାର୍ଯ୍ୟାଳୟରେ ଜଣେ ଲୋକ ହୋଇଥିବାରୁ ଟାର୍ଗେଟ କିପରି ଏଚିଭ କରାଯାଇ ପାରିବ ବୋଲି କହିଥିଲେ । ତେବେ ସେ ସରକାରୀ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଅଥବା ଘରେ ରହୁଛନ୍ତି ତାହା କେବଳ ବରିଷ୍ଠ ନିରୀକ୍ଷକଙ୍କୁ ହିଁ ଜଣା ।
ବାରିପଦା ସହର ସାମ୍ପ୍ରତି ଲାଭଖୋର ଅସାଧୁ ବେପାରୀମାନଙ୍କ ଚରାଭୂଇଁ ପାଲଟି ଯାଇଛି । ଖାଦ୍ୟର ମାନ ହେଉ ଅଥବା ଜିନିଷର ଓଜନ ହେଉ ସକାଳୁ ରାତି ପର୍ଯ୍ୟନ୍ତ ସବୁଠି ଖାଉଟି ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହୋଇଛି । ବଜାରରେ ମାଛ, ମାଂସ, ପରିବା, ତେଜରାତି ଦୋକାନମାନଙ୍କରେ ଖାଉଟି ଯେଉଁ ଭଳି ଭାବେ ଶୋଷଣର ଶିକାର ହେଉଛନ୍ତି ସେଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନର ନିଘା ନାହିଁ କି ପଘା ନାହିଁ । ଖାଉଟି ସାମଗ୍ରୀ କିଣିବା ସମୟରେ ଦୋକାନୀର ଧାର୍ଯ୍ୟ ମୂଲ୍ୟ ପୈଠ କରୁଥିବା ବେଳେ ଓଜନ ବାବଦରେ ମୁହଁ ଖୋଲି ପାରୁ ନାହାନ୍ତି । କାରଣ ଓଜନ ଉପରେ ପ୍ରଶ୍ନ କଲେ ଦୋକାନୀ ଖାଉଟିକୁ ଅସମ୍ମାନ ପ୍ରଦର୍ଶନ କରୁଥିବାରୁ ନିଜର ଆତ୍ମ ସ୍ୱାଭିମାନକୁ ଜଗି ଖାଉଟିକୁ ନୀରବ ରହିବାକୁ ପଡ଼ୁଛି ବୋଲି ଅଭିଯୋଗ ହେଉଛି । ବର୍ତମାନ ବଜାରରେ ଖାସି ମାଂସ, ଦେଶୀ କୁକୁଡ଼ା ମାଂସ, ଇଲିସି, ଦେଶୀ ବଡ଼ ଚିଙ୍ଗୁଡ଼ି, ଭେକଟି ଆଦିର ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ ଅସାଧୁ ବ୍ୟବସାୟୀମାନେ ଓଜନରେ ଖାଉଟିମାନଙ୍କୁ ଠକାଇ ୨୦ରୁ ୧୦୦ ଟଙ୍କାରୁ ଅଧିକ ଠକେଇ ନେଉଥିବାର ଅଭିଯୋଗ ହେଉଛି । ଓଜନ ମାପ ବିଭାଗରେ ଅଧୀନରେ ଜୁଏଲାରୀ ଦୋକାନ, ପେଟ୍ରୋଲ ପମ୍ପ ସହ ବିଭିନ୍ନ ଗୋଦାନ ଆଦି ଅନେକ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ରହିଥିବାରୁ ବିଭାଗରେ କର୍ମଚାରୀମାନଙ୍କ ମରୁଡ଼ି ପଡ଼ିବା ଫଳରେ ଅସାଧୁ ବ୍ୟବସାୟୀମାନଙ୍କ ନିମନ୍ତେ ସୁନେ ପେ ସୁହାଗାରେ ପରିଣତ ହୋଇଯାଇଛି । ଏଥିସହିତ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟର କର୍ମଚାରୀ ବିହୀନ ହୋଇପଡ଼ିଥିବା ଫଳରେ ସହରରେ ବେପାରୀମାନଙ୍କ ରାଜ ଚାଲିଥିବାର ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।
ବାରିପଦା କଚେରୀ ମାର୍କେଟର ପରିବା ବ୍ୟବସାୟୀ କୁଳିଅଣା ଥାନା ପାଟିଆଶିମିଳି ଗ୍ରାମର ହିମାଂଶୁ କର କୁହନ୍ତି, ଆଜକୁ ୧୫ ବର୍ଷରୁ ଅଧିକ ସମୟ ଧରି ପରିବା ବ୍ୟବସାୟ ଚଳାଇ ଆସୁଥିବାବେଳେ କୌଣସି ଖାଉଟିକୁ ଓଜନରେ ଠକାଇ ନାହାନ୍ତି । ୨/୩ ମାସ ତଳେ ମାପ ଓଜନ ବିଭାଗର ଜଣେ କର୍ମଚାରୀ ଆସି ତାଙ୍କର ବଟକରା ନେଇ ରିନ୍ୟୁ କରାଇବା ପରେ ଦେଇଯାଇଛନ୍ତି ବୋଲି କହିଥିଲେ ।
ବାରିପଦା ପୌରପରିଷଦର ଖାଉଟି କିଶୋର ପାତ୍ରଙ୍କ କହିବା ଅନୁସାରେ ମାର୍କେଟରେ ମାଛ ହେଉ ବା ମାଂସ ଅଥବା ପରିବା ଓଜନବେଳେ ବ୍ୟବସାୟୀମାନେ ସେହି ପୁରୁଣା କଳଙ୍କି ଧରା ବଟକରା ବ୍ୟବାହାର କରୁଛନ୍ତି । ପୁଣି କେତେକ ବ୍ୟବସାୟୀ ଇଲେକ୍ଟ୍ରୋନିକ୍ସ ଓଜନ ମେସିନ ବ୍ୟବହାର କରୁଛନ୍ତି । ସେମାନଙ୍କ ନିକଟରୁ ଆଣିଥିବା ଜିନିଷ ଅନ୍ୟ ଦୋକାନରେ ଓଜନ କଲେ ୫୦ରୁ ୧୦୦ ଗ୍ରାମ କମ୍ ଥିବାର ଜଣାପଡ଼ିଥାଏ । ମାତ୍ର ବ୍ୟବସାୟୀମାନଙ୍କ ବ୍ୟବହାରକୁ ଭୟକରି ସବୁ କିଛି ସହ୍ୟ କରିବାକୁ ପଡ଼ୁଛି ବୋଲି କହିଥିଲେ ।
ଗୋଟାଏ ପଟରେ ପ୍ରଶାସନକୁ ଲୋକାଭିମୁଖୀ, ସଶକ୍ତ ଓ କ୍ରିୟାଶୀଳ କରାଇବା ସହ ଅଧିକ ଉତରଦାୟୀ ଓ ଲୋକଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ୫-ଟି ଏବଂ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ଅନ୍ୟ ପଟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ମରୁଡ଼ି ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି । ଅନ୍ଧମାନଙ୍କ ହାତୀ ଦର୍ଶନ ପରି ହେଉଛି ପୌରବାସୀଙ୍କ ଭାଗ୍ୟ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।